ବୟଷ୍କଙ୍କ ଜନ ସଂଖ୍ୟାର ହେଉଛି ଦ୍ରୁତ ବୃଦ୍ଧି, ବୁଢାଙ୍କ ସାମ୍ରାଜ୍ୟ ପାଲଟିବ ଭାରତ, ଜାଣନ୍ତୁ କ’ଣ କହିଛନ୍ତି UNFPA
27/09/2023 at 9:03 PM

ନୂଆଦିଲ୍ଲୀ ୨୭।୯: ଭାରତରେ ବୟଷ୍କଙ୍କ ଜନସଂଖ୍ୟା ଅଭୂତପୂର୍ବ ଭାବେ ବଢିବାରେ ଲାଗିଛି। ମଝି ଶତାବ୍ଦୀ ବେଳକୁ ଏହି ସଂଖ୍ୟା ପିଲାଙ୍କ ଜନସଂଖ୍ୟାକୁ ବି ପାର କରିଯାଇପାରେ। ୟୁନାଇଟେଡ ନେସନସ୍ ପପୁଲେସନ ଫଣ୍ଡ (ୟୁଏନଏଫପିଏ)ର ଏକ ନୂଆ ରିପୋର୍ଟରେ ଏହି ଦାବି କରାଯାଇଛି। ଏଥିରେ କୁହାଯାଇଛି ଯେ ‘ଯୁବା ଭାରତ ଆଗାମୀ ଦଶନ୍ଧୀରେ ଦ୍ରୁତ ବୁଢା ହେଉଥିବା ସମାଜରେ ବଦଳିଯିବ’। ଭାରତ ବିଶ୍ୱରେ କିଶୋର ଓ ଯୁବକଙ୍କ ସର୍ବାଧିକ ଜନସଂଖ୍ୟାର ଦେଶମାନଙ୍କ ମଧ୍ୟରୁ ଅନ୍ୟତମ।
ୟୁଏନଏଫପିଏଙ୍କ ‘ଇଣ୍ଡିଆ ଏଜିଂ ରିପୋର୍ଟ ୨୦୨୩’ ଅନୁସାରେ ଜାତୀୟ ସ୍ତରରେ ବୟଷ୍କ (୬୦+) ଜନସଂଖ୍ୟାର ଅଂଶ ୨୦୨୧ରେ ୧୦.୧ ପ୍ରତିଶତରୁ ବଢି ୨୦୩୬ରେ ୧୫ପ୍ରତିଶତ ଓ ୨୦୫୦ରେ ୨୦.୮ପ୍ରତିଶତ ହେବାର ଅନୁମାନ କରାଯାଉଛି। ରିପୋର୍ଟରେ କୁହାଯାଇଛି ଯେ ‘ଶତାବ୍ଦୀର ଶେଷ ସୁଦ୍ଧା ଦେଶର ମୋଟ ଜନସଂଖ୍ୟାରେ ବୃଦ୍ଧଙ୍କ ଜନସଂଖ୍ୟା ୩୬ ପ୍ରତିଶତରୁ ଅଧିକ ଥିବ’। ୨୦୧୦ ମସିହା ପରଠାରୁ ୧୫ବର୍ଷରୁ କମ୍ ଆୟୁବର୍ଗରେ ହ୍ରାସ ଦେଖା ଯାଇଥିବାବେଳେ ବୃଦ୍ଧଙ୍କ ଜନ ସଂଖ୍ୟାରେ ତୀବ୍ର ବୃଦ୍ଧି ଦେଖା ଦେଇଛି, ଯାହା ଭାରତର ବୟସ ବୃଦ୍ଧିକୁ ଦର୍ଶାଉଛି।

ରିପୋର୍ଟରେ କୁହାଯାଇଛି ଯେ ଭାରତରେ ବୟସ୍କଙ୍କ ଜନସଂଖ୍ୟା ଅଭୂତ ପୂର୍ବ ଭାବେ ବଢିବାରେ ଲାଗିଛି ଓ ଆଶା କରାଯାଉଛି ଶତାବ୍ଦୀ ମଧ୍ୟ ସୁଦ୍ଧା ଏହା ପିଲାଙ୍କ ଜନସଂଖ୍ୟାଠାରୁ ଢେର ବଢିଯାଇଥିବ। ଏଥିରେ କୁହାଯାଇଛି ଯେ ୨୦୫୦ର ୪ ବର୍ଷ ପୂର୍ବରୁ ଭାରତରେ ବୟଷ୍କ ଜନସଂଖ୍ୟାର ଆକାର ୦-୧୪ ବର୍ଷ ଆୟୁର ପିଲାଙ୍କ ଜନସଂଖ୍ୟାର ଆକାରରୁ ଅଧିକ ଥିବ। ସେହି ସମୟ ବେଳକୁ ୧୫-୫୯ ବର୍ଷ ଜନସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଯିବ। ଏଥିରୁ ନିସନ୍ଦେହ କୁହାଯାଇପାରେ ଯେ ଆଜିର ଅପେକ୍ଷାକୃତ ଯୁବ ଭାରତ ଆଗାମୀ ଦଶନ୍ଧୀମାନଙ୍କରେ ବୁଢା ହେଉଥିବା ଭାରତରେ ପରିଣତ ହୋଇଥିବ।
ରିପୋର୍ଟରେ କୁହାଯାଇଛି ଯେ ଭାରତରେ ୧୯୬୧ ମସିହା ପରେ ବୟଷ୍କ ଜନସଂଖ୍ୟାରେ ଦଶକୀୟ ବୃଦ୍ଧି ମାଧ୍ୟମରେ ଉଚ୍ଚଗତି ଦେଖିବାକୁ ମିଳିଛି। ତେବେ ଏହି ଗତି ୨୦୦୧ ପୂର୍ବରୁ ଧିମେଇ ଯାଇଥିଲା। ତେବେ ଆଗାମୀ ଦଶକମାନଙ୍କରେ ଏହା ତୀବ୍ର ବୃଦ୍ଧି ହୋଇପାରେ। ରିପୋର୍ଟ ଅନୁସାରେ ଭାରତରେ ବୟଷ୍କ ଜନସଂଖ୍ୟାର ଦଶକୀୟ ବୃଦ୍ଧି ୧୯୬୧ ଓ ୧୯୭୧ ମଧ୍ୟରେ ୩୨ ପ୍ରତିଶତରୁ ସାମାନ୍ୟ କମ ହୋଇ ୧୯୮୧-୯୧ରେ ୩୧ ପ୍ରତିଶତ ହୋଇଯାଇଥିଲା।

ତେବେ ୧୯୯୧-୨୦୦୧ କାଳରେ ଏଥିରେ ବୃଦ୍ଧି ହୋଇଥିଲା ଓ ୨୦୨୧-୨୩୧ ମଧ୍ୟରେ ଏହା ୪୧ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବାର ଅନୁମାନ କରାଯାଉଛି। ରିପୋର୍ଟରେ କୁହାଯାଇଛି ଯେ ୨୦୨୧ ଜନସଂଖ୍ୟା ଅନୁମାନ ଆଧାରରେ ଭାରତରେ ପ୍ରତି ୧୦୦ ପିଲାରେ ୩୯ ଜଣ ବୃଦ୍ଧବ୍ୟକ୍ତି ଥିଲେ।