ମାଲକାନଗିରିରେ ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା ଉଦ୍ୟମ; ହାତ କାଟି ନ୍ୟାୟ ମାଗିଲେ ପୀଡିତା
23/09/2018 at 5:20 PM

ମାଲକାନଗିରି ୨୩/୯ : ଦୁଷ୍କର୍ମ ପୀଡିତାଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଆକ୍ସନ ମୋଡ଼କୁ ଆସିଲା ପୋଲିସ । ମାଲକାନଗିରିରେ ଜଣେ ବିବାହିତା ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୭ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଗିରଫ ୭ ଜଣ ହେଲେ ରାଜ କିରନ ଗୁପ୍ତା, ରାଜା ମଣ୍ଡଳ, ପି.ସାଗର, ଭୀମସେନ ସଗଡିଆ, ଏ.ରାଜୁ, ମାଣିକ ବାଛଡା ଓ ପ୍ରମୋଦ ଦୋରା । ଥାନାକୁ ଯାଇ ନ୍ୟାୟ ନ ମିଳିବାରୁ ହାତ କାଟି ହତ୍ୟା ଉଦ୍ୟମ କରିଛନ୍ତି ପୀଡିତା। ୪ ମାସ ତଳେ ୮/୯ ଜଣ ଯୁବକ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ସ୍ବାମୀ ଘରେ ନଥିବାବେଳେ ପୁଅର ବେକରେ ଛୁରି ଲଗାଇ ଯୁବକମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏପରିକି ଦୁଷ୍କର୍ମ ସମୟର ଭିଡିଓ ରେକର୍ଡିଂ କରି ଅଭିଯୁକ୍ତମାନେ ତାଙ୍କୁ ବ୍ଲାକମେଲିଂ କରୁଥିଲେ । ବାରମ୍ବାର ଏପରି ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ସ୍ବାମୀଙ୍କୁ ସବୁ କଥା ଜଣାଇଥିଲେ । ୩ ଦିନ ତଳେ ମାଲକାନଗିରି ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପରିବର୍ତ୍ତେ କେବଳ ପଚରାଉଚରା କରି ଛାଡିଦେଇଥିଲା । ଏହା ସହ କେଶ ଉଠାଇ ନେବାକୁ ମହିଳାଙ୍କୁ ଅର୍ଥ ଯାଚିଥିବା ଭଳି ସଂଗୀନ ଅଭିଯୋଗ ମଧ୍ୟ ହୋଇଛି । ପୋଲିସ ଠାରୁ ନିରାଶ ହେବା ପରେ ମହିଳା ଜଣକ ହାତକାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି । ୩ ଦିନ ତଳେ କେଶ ରଖିବାକୁ ମନା କରୁଥିବା ପୋଲିସ ଏବେ ୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୀଡିତାଙ୍କୁ ଉପଯୁକ୍ତ ନ୍ୟାୟ ନମିଳିଲେ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଆନ୍ଦୋଳନ କରିବେ ବୋଲି ମା’ ଘର ସଦସ୍ୟ କହିଛନ୍ତି ।