ନିର୍ଭୟା ଦୋଷୀଙ୍କ ଫାଶୀ ସତ୍ତ୍ୱେ ଦିଲ୍ଲୀରେ କମିନି ଦୁଷ୍କର୍ମ, ତଥ୍ୟ କହୁଛି ୩ଗୁଣା ବଢିଛି ଅପରାଧ !

Published By : Prameya-News7 Bureau | December 16, 2020 IST

ନୂଆଦିଲ୍ଲୀ ୧୬।୧୨:  ପ୍ରାୟ ୮ ବର୍ଷ ପୂର୍ବେ ୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ଘଟିଥିବା ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣା ଆଜି ବି ଲୋକଙ୍କ ମନରୁ ଲିଭିନି। ଦୀର୍ଘ ଆଇନଗତ ପ୍ରକ୍ରିୟା ଏବଂ ଓକିଲଙ୍କ ପେଞ୍ଚ ସତ୍ତ୍ୱେ ମାମଲାର ୬ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସତ୍ତ୍ୱେ ଏଭଳି ଅପରାଧ ମାମଲା  ଜାତୀୟ ରାଜଧାନୀରେ  ହ୍ରାସ ହୋଇ ନାହିଁ। 

ନିର୍ଭୟା କାଣ୍ଡ ବର୍ଷ ଅର୍ଥାତ ୨୦୧୨ ମସିହାରେ ଦିଲ୍ଲୀରେ ମହିଳା ସମ୍ପର୍କିତ ଅପରାଧ ହାର ଯାହା ଥିଲା ତାହା ୮ ବର୍ଷରେ ୩ ଗୁଣା ବୃଦ୍ଧି ହୋଇଥିବା ତଥ୍ୟରୁ ଜଣାପଡିଛି। ୨୦୧୨ ମସିହାରେ ଦିଲ୍ଲୀର ବିଭିନ୍ନ ଥାନାରେ ଦୁଷ୍କର୍ମର ୭୦୬ଟି ଅଭିଯୋଗ ରୁଜୁ ହୋଇଥିଲା।   ୨୦୧୯ ମସିହା ବେଳକୁ ଜାତୀୟ ରାଜଧାନୀରେ ଏପରି ମାମଲା ସଂଖ୍ୟା  ୩ଗୁଣାରୁ ବି ଅଧିକ ୨ହଜାର ୧୬୮ରେ ପହଞ୍ଚିଥିଲା।  ତେବେ ଅପରାଧ ହାର କ୍ରମଶଃ ବଢି ନାହିଁ। ୨୦୧୪ ମସିହାରେ ଦୁଷ୍କ ସମ୍ପର୍କିତ ମୋଟ ଅଭିଯୋଗ ସଂଖ୍ୟା ୨ ହଜାର ୧୬୬ରେ ପହଞ୍ଚିଥିବା ବେଳେ  ୨୦୧୫ରେ ୨୦୧୯୯ ଏବଂ ୨୦୧୬, ୧୭ ଓ ୧୮ ମସିହାରେ ଯଥାକ୍ରମେ ୨ହଜାର ୧୫୫, ୨ ହଜାର ୧୪୬ ଓ ୨ ହଜାର ୧୩୫ରେ ପହଞ୍ଚିଥିଲ।

ନିର୍ଭୟା କାଣ୍ଡର ଅପରାଧୀଙ୍କୁ ଚଳିତବର୍ଷ ସେମାନଙ୍କ ଅପରାଧ ଲାଗି ଦଣ୍ଡିତ କରାଯାଇଛି। ସେମାନଙ୍କ ପ୍ରାଣ ରକ୍ଷା ଲାଗି ଓକିଲ ଯେତେପ୍ରକାର ଉଦ୍ୟମ କରିଥିଲେବି ଶେଷରେ ନିଷ୍ଫଳ ହୋଇଥିବା ବେଳେ ଦୋଷୀଙ୍କୁ ସେମାନଙ୍କ ଅପରାଧର ସଜା ମିଳିଛି।  ତେବେ ଦୋଷୀମାନେ ଦଣ୍ଡ ପାଇବା ପର୍ଯ୍ୟନ୍ତ ଗଣମାଧ୍ୟମରେ ଶିରୋନାମା ରହିଥିଲେ ବି ଅପରାଧ ହାରରେ ସେପରି କୌଣସି ପରିବର୍ତ୍ତନ ଆସିନଥିବା ଜଣାପଡିଛି।    

ଦିଲ୍ଲୀ ପୋଲିସ ସୂଚନା ଅନୁସାରେ ଚଳିତବର୍ଷ ଅକ୍ଟୋବର ୩୧ ତାରିଖ ସୁଧା ରାଜଧାନୀର ବିଭିନ୍ନ ଥାନାରେ ଦୁଷ୍କର୍ମ ସମ୍ପର୍କିତ ୧ ହଜାର ୪୨୯ଟି ଅଭିଯୋଗ ରୁଜୁ ହୋଇଛି। ଗତବର୍ଷ ଏହି ସମୟ ସୁଧା ଦିଲ୍ଲୀରେ ୧ହଜାର ୮୮୪ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଯଦିଓ ଅଭିଯୋଗ ସଂଖ୍ୟା ସାମାନ୍ୟ କମ୍‌ ରହିଛି ତେବେ ଅପରାଧ କିନ୍ତୁ ହ୍ରାସ ହୋଇ ନାହିଁ ବୋଲି ଦିଲ୍ଲୀ ପୋଲିସ କହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.