ଦୁଷ୍କର୍ମ ପୀଡିତାଙ୍କ ଉପରେ ଏସିଡ୍ ଢାଳିଦେଲେ ଅଭିଯୁକ୍ତ ସବ୍-ଇନ୍ସପେକ୍ଟରଙ୍କ ସ୍ତ୍ରୀ
28/02/2020 at 12:10 PM

ମିରଟ ୨୮।୨: ଉତ୍ତରପ୍ରଦେଶ ମିରଟ ସିଭିଲ୍ ଲାଇନ୍ସ ଅଞ୍ଚଳରେ ଥିବା ବରିଷ୍ଠ ପୋଲିସ ଅଧୀକ୍ଷକଙ୍କ ବାସଭବନ ନିକଟରେ ଜଣେ ମହିଳାଙ୍କ ସମେତ ତିନିଜଣ ବ୍ୟକ୍ତି ୧୯ବର୍ଷ ବୟସ୍କା ଯୁବତୀଙ୍କୁ ଏସିଡ୍ରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏସିଡ୍ ଆକ୍ରମଣ ଫଳରେ ଯୁବତୀଙ୍କ ହାତ ଓ ଗୋଡ ଜଳି ଯାଇଥିବା ଜଣାପଡିଛି । ବୁଧବାର ରାତିରେ ଏଭଳି ଘଟଣା ଘଟିଛି ।
ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ଆକ୍ରମଣକାରୀଙ୍କ ମଧ୍ୟରେ ଦୁଇ ଜଣ ପୁରୁଷ ଥିବାବେଳେ ଜଣେ ସବ୍-ଇନ୍ସପେକ୍ଟରଙ୍କ ପତ୍ନୀ ଥିଲେ । ସବ୍-ଇନ୍ସପେକ୍ଟରଙ୍କ ପତ୍ନୀ ନିତୁ ତାଙ୍କ ବିରୋଧରେ ପୂର୍ବରୁ ମିଥ୍ୟା ଅଭିଯୋଗ କରିଥିଲେ । ସେ କହିଛନ୍ତି ଯେ, ୨୦୧୮ ମସିହାରେ ସେ ସବ୍-ଇନ୍ସପେକ୍ଟର ନରେନ୍ଦ୍ରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ କରିବା ପରେ ତାଙ୍କ ଏବଂ ତାଙ୍କ ଭାଇଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ।
ସିଭିଲ୍ ଲାଇନ୍ସ ଥାନା ଅଧିକାରୀ ସଞ୍ଜୀବ ଦେଶୱାଲ କହିଛନ୍ତି ଯେ, ପାଲ୍ଲାଭପୁରମରେ ରହୁଥିବା ଯୁବତୀ ଆକ୍ରମଣକାରୀଙ୍କ ମଧ୍ୟରେ ସଂପୃକ୍ତ ମହିଳା ଥିବା ନେଇ ଅଭିଯୋଗ କରିଛନ୍ତି ।
୨୦୧୮ ମସିହାରେ ସବ୍-ଇନ୍ସପେକ୍ଟରଙ୍କ ବିରୋଧରେ ଯୁବତୀ ଜଣଙ୍କ ଅଭିଯୋଗ ଆଣିଥିଲେ । ପରେ ସବ୍-ଇନ୍ସପେକ୍ଟରଙ୍କ ପତ୍ନୀ ଯୁବତୀଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କୁ ଜେଲ ପଠାଇଥିଲେ । ବର୍ତ୍ତମାନ ସେ ଜାମିନରେ ଅଛନ୍ତି ବୋଲି ଥାନା ଅଧିକାରୀ କହିଛନ୍ତି ।
ପୋଲିସ କହିଛି ଯେ, ସଂପୃକ୍ତ ସବ୍-ଇନ୍ସପେକ୍ଟର ଜଣଙ୍କ ବେହସୁମା ପୋଲିସ ଷ୍ଟେସନରେ କାର୍ଯ୍ୟରତ ଥିଲେ । ଥାନା ଅଧିକାରୀ ସଞ୍ଜୀବ ଦେଶୱାଲ କହିଛନ୍ତି ଯେ, ଘଟଣାର ତଦନ୍ତ ଜାରି ରହିଛି ।