ଚୌଦ୍ବାରରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ; ଅଭିଯୁକ୍ତର ଆକ୍ରମଣରେ ନାବାଳିକାଙ୍କ ବାପା ଗୁରୁତର

Published By : Prameya-News7 Bureau | September 27, 2018 IST

କଟକ ୨୭|୯: ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ବିରୋଧ କରିବାରୁ ନାବାଳିକାଙ୍କ ବାପାଙ୍କୁ ମଦ୍ୟ ମରଣାନ୍ତକ ଆକ୍ରମଣ କରିଛି ଅଭିଯୁକ୍ତ । ଚୌଦ୍ବାର ଥାନା ମଙ୍ଗରାଜପୁର ପଞ୍ଚାୟତ ଡମଦମଣି ଜଙ୍ଗଲ ନିକଟ ଆଦିବାସୀ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ନାବାଳିକା ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଗାଁର ସୁକାନ୍ତ ଦେହୁରୀ ନାମକ ଯୁବକ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ନାବାଳିକା ଜଣକ ଚିତ୍କାର କରିବାରୁ ସୁକାନ୍ତ ଛାଡି ଦୌଡି ପଳାଇଥିଲା । ବାପା ଘରକୁ ଫେରିବା ପରେ ଝିଅଠାରୁ ସବୁ କଥା ଶୁଣି ସୁକାନ୍ତକୁ ଘଟଣା ସଂପର୍କରେ ପଚାରିଥିଲେ । ସୁକାନ୍ତ ତାଙ୍କୁ କାଠ ଫାଳିଆରେ ନିସ୍ତୁକ ମାଡ ମାରିବା ସହ ହାତ ଗୋଡ ଭାଙ୍ଗି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ୬ ଦିନ ଧରି ମେଡିକାଲରେ ଚିକିତ୍ସିତ ହୋଇ ଫେରିବା ପରେ ଚୌଦ୍ବାର ଥାନାରେ ଅଭିଯୋଗ କରିଛନ୍ତି ନାବାଳିକାଙ୍କ ବାପା । ପୋଲିସ ଅଭିଯୁକ୍ତ ସୁକାନ୍ତକୁ ଗିରଫ କରିଥିଲେ ମଧ୍ୟ ପରେ ଚାପରେ ଛାଡିଦେଇଥିବା ଅଭିଯୋଗ କରିଛନ୍ତି ନାବାଳିକାଙ୍କ ପରିବାରଲୋକ । ନ୍ୟାୟ ପାଇବା ପାଇଁ ସେ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.