ରଣଜୀ ଟ୍ରଫି ପାଇଁ BCCIର ବଡ ଘୋଷଣା, ଏଣିକି ନିଷ୍ପତ୍ତି ଦେବେ ମହିଳା ଅମ୍ପାୟାର

Published By : Prameya-News7 Bureau | December 06, 2022 IST

ମୁମ୍ୱାଇ ୦୬/୧୨: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବା ବିସିସିଆଇର ବଡ ନିଷ୍ପତ୍ତି । ପୁରୁଷ ଘରୋଇ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ନିଯୁକ୍ତ ହେବେ ମହିଳା ଅମ୍ପାୟାର୍ସ । ବିସିସିଆଇର ଜଣେ ଅଧିକାରୀ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି କି ମହିଳା ଅମ୍ପାୟାର୍ସଙ୍କୁ ଆଗାମୀ ରଣଜୀ ଟ୍ରଫିରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିବ । ଏନେଇ ବୃନ୍ଦା ରାଠୀ ଜନନୀ ନାରାୟଣନ ଓ ଗାୟତ୍ରୀ ବେଣୁଗୋପାଳନଙ୍କୁ ସିଲେକ୍ଟ କରାଯାଇଛି । ମହିଳା ଆଇପିଏଲ ପାଇଁ ଘୋଷଣା ପରେ ବିସିସିଆଇ ମହିଳାଙ୍କୁ ନେଇ ଏହି ବଡ ନିଷ୍ପତ୍ତି ନେଇଛି ।

ଅନେକ ରାଜ୍ୟର କ୍ରିକେଟ ସଂଘ ଏବେ ମହିଳା କ୍ରିକେଟ ବ୍ୟତୀତ ସ୍ଥାନୀୟ ସ୍ତରରେ ପୁରୁଷ କ୍ରିକେଟରେ ବି ମହିଳା ଅମ୍ପାୟାର୍ସମାନଙ୍କୁ ସୁଯୋଗ ଦେଇଛି । ହେଲେ ଏପର୍ଯ୍ୟନ୍ତ ବିସିସିଆଇ ତରଫରୁ କେବେ ବି ମହିଳା ଅମ୍ପାୟାର୍ସ ମାନଙ୍କୁ ପୁରୁଷଙ୍କ ସିନିୟର୍ସ ଟୁର୍ଣ୍ଣାମେଣ୍ଟରେ ଅମ୍ପାୟାରିଂ କରିବାକୁ ନିଯୁକ୍ତି ଦେଇ ନଥିଲା । ତେବେ ବୃନ୍ଦା ରାଠୀ ଓ ଜନନୀ ନାରାୟଣନ ଅଣ୍ଡର-୨୩ ପୁରୁଷ ସିକେ ନାଇଡୁ ଟ୍ରଫିରେ ଅମ୍ପାୟାରିଂ କରିବାର ସୁଯୋଗ ମିଳିଥିଲା । ମୁମ୍ବାଇର ୩୨ ବର୍ଷିୟା ବୃନ୍ଦା ରାଠୀ ଜଣେ ମିଡିୟମ ସ୍ପେଶ ବୋଲର ଭାବେ ମୁମ୍ବାଇ ୟୁନିଭରସିଟି ପାଇଁ ପ୍ରତିନିଧିତ୍ୱ କରୁଥିଲେ । ସେ ୨୦୧୦ ରେ ବିସିସିଆଇର ସ୍କୋରିଂ ପରୀକ୍ଷା ପାସ୍ କରିଛନ୍ତି । ୨୦୧୩ ମସିହାରେ ହୋଇଥିବା ମହିଳା ବିଶ୍ୱକପରେ ସେ ସ୍କୋରର ଭାବେ ଦାୟିତ୍ୱ ତୁଲାଇଥିଲେ । ଏହି କ୍ରମରେ ବୃନ୍ଦା ନ୍ୟୁଜିଲାଣ୍ଡର ଅମ୍ପାୟାର କୈଥୀ କ୍ରାସଙ୍କ ସହ ଭେଟ ହୋଇଥିଲା । ଏହାପରେ ସେ ମୁମ୍ବାଇ କ୍ରିକେଟ ଆସୋସିଏସନ ଓ ବିସିସିଆଇର ଅମ୍ପାୟାରିଂ ପରୀକ୍ଷା ଦେଇ ପାସ୍ କରିଥିଲେ ।

ସେପଟେ ୩୬ ବର୍ଷିୟା ଜନନୀ ନାରାୟଣନ କେବେ ବି ଉଚ୍ଚସ୍ତରର କ୍ରିକେଟ ମ୍ୟାଚ ଖେଳି ନାହାଁନ୍ତି । ସେ ୨୦୦୯ ଓ ୨୦୧୨ ମସିହାରେ ତାମିଲନାଡୁ କ୍ରିକେଟ ଆସୋସିଏସନ ସହ ଯୋଗାଯୋଗ କରି ଅମ୍ପାୟାର ହେବାକୁ ଚେଷ୍ଟା କରିଥିଲେ । ୨୦୧୫ ମସିହାରେ ଜନନୀଙ୍କ କଥାରଖି ତାମିଲନାଡୁ କ୍ରିକେଟ ଆସୋସିଏସନ ତରଫରୁ ତାଙ୍କୁ ଏକ ଫର୍ମ ଦିଆଯାଇଥିଲା । ଏହାପରେ ଜନନୀ ବିସିସିଆଇର ଲେବଲ ୨ ଅମ୍ପାୟାରିଂ ପରୀକ୍ଷା ଦେଇ ପାସ୍ କରିଥିଲେ ।

ଦିଲ୍ଲୀରେ ରହୁଥିବା ୪୩ ବର୍ଷିୟା ଗାୟତ୍ରୀ ବେଣୁଗୋପାଳନ ଜଣେ ପେଶାଦାର କ୍ରିକେଟର ହେବାକୁ ଚେଷ୍ଟା କରିଥିଲେ । ହେଲେ କାନ୍ଧରେ ମାଡ ହୋଇଥିବା ଯୋଗୁଁ ତାଙ୍କ ସ୍ୱପ୍ନ ପୁରଣ ହୋଇପାରି ନଥିଲା । ହେଲେ ଗାୟତ୍ରୀ ପରାଜୟ ସ୍ୱିକାର କରିନଥିଲେ । ସେ ନିଜର କର୍ପୋରେଟ ଚାକିରି ଛାଡି ବିସିସିଆଇର ଅମ୍ପାୟାରିଂ ପରୀକ୍ଷା ପାସ୍ କରିଥିଲେ । ସେ ୨୦୧୯ ରୁ ଜଣେ ଅମ୍ପାୟାର ଭାବେ ମନୋନ୍ନୀତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.