ନାମ ଲେଖା ଦିନଠୁ ଚାରି-ପାଞ୍ଚ ସିନିୟର କରୁଥିଲେ ରାଗିଂ, ଏଏନଏମ ସେଣ୍ଟରରେ ସ୍ଵତନ୍ତ୍ର କମିଟିର ତଦନ୍ତ ଆରମ୍ଭ

Published By : Prameya-News7 Bureau | July 06, 2022 IST

ଦେବଗଡ : ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ସ୍ଥିତ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ରରେ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ । ପ୍ରଶିକ୍ଷଣ କେନ୍ଦ୍ରର ପ୍ରଥମ ବର୍ଷ ଛାତ୍ରୀ  ସିନିଅର ଛାତ୍ରୀଙ୍କ ବିରୋଧରେ ରାଗିଂ କରୁଥିବା ଅଭିଯୋଗ ହୋଇଛି । ଏନେଇ ସଂପୃକ୍ତ ଛାତ୍ରୀ ଦେବଗଡ ସିଡିଏମଓ ଙ୍କଠାରେ ଲିଖିତ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଏନେଇ ଛାତ୍ରୀ ଜଣଙ୍କ ଲିଖିତ ଅଭିଯୋଗ କରିଥିବା ବେଳେ ବୁଧବାର ସିଡିଏମଓଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର କମିଟି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଭୁବନେଶ୍ଵର ବିଜେବି କଲେଜରେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ରୁଚିକା ମହାନ୍ତିଙ୍କ  ରାଗିଂ କାରଣରୁ ଆତ୍ମହତ୍ୟା କରିବା ଘଟଣା ଚର୍ଚ୍ଚା ଜୋର ଧରିଥିବା ବେଳେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ର ରେ ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ସିନିଅର ଛାତ୍ର ରାଗିଂ କରୁଥିବା ଅଭିଯୋଗ ହୋଇଛି।   ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା ଅନ୍ତର୍ଗତ ଖୁଣ୍ଟଳାବାହାଳ ଗ୍ରାମର ଅଚ୍ୟୁତ କିଶାନ ଙ୍କ ଝିଅ  କଳ୍ପନା କିଶାନ ତିନି ମାସ ତଳେ ଦେବଗଡ ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ର ରେ ପ୍ରଥମ ବର୍ଷ ଛାତ୍ରୀ ଭାବେ ନାମ ଲେଖାଇଥିଲେ ।

ନାମ ଲେଖାଦିନଠାରୁ ଚାରି ରୁ ପାଞ୍ଚ ଜଣ ସିନିଅର ଛାତ୍ରୀ ତାଙ୍କୁ ଆକ୍ଷେପମୂଳକ କଥାବାର୍ତ୍ତା କରିବା ସହ ରାଗିଂ କରୁଥିବା ସେ ଅଭିଯୋଗ କରିଛନ୍ତି। ଏନେଇ ସେ ତିନି ଥର ପରିବାର ଲୋକଙ୍କୁ ଜଣାଇଥିବା ବେଳେ ମଙ୍ଗଳବାର ପରିବାର ସଦସ୍ୟ ଙ୍କ ଉପସ୍ଥିତିରେ ସିଡିଏମଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। କଳ୍ପନା ଜଣେ ଉଚ୍ଚ ଶିକ୍ଷିତା ଡିପ୍ଲୋମା ଇଞ୍ଜିନିୟରିଂ ଛାତ୍ରୀ ହୋଇଥିବା ବେଳେ ବିବାହ ପରେ ନର୍ସିଂ ପାଠ ପଢୁଥିବା ଜଣାପଡିଛି ।

ଛାତ୍ରୀଙ୍କ ଲିଖିତ ଅଭିଯୋଗ କୁଭିତ୍ତି କରି ଦେବଗଡ ସିଡିଏମଓ ଡାକ୍ତର ସାଧନା ଦାଶ ଙ୍କ ନେତୃତ୍ଵରେ ଏକ ସ୍ବତନ୍ତ୍ର କମିଟି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ସିଡିଏମଓ ଡାକ୍ତର ସାଧନା ଦାଶ  , ଏଡିଏମଓ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରୁ ରାଜସ୍ୱ ଅଧିକାରୀ ଆସିଷ୍ଟାଣ୍ଟ କଲେକ୍ଟର କୈବଲ୍ୟ କର, ବନମାଳୀ ସେଠୀ, ତିନିଜଣ ପୋଲିସ ସବ ଇନ୍ସପେକ୍ଟର   ପ୍ରଶିକ୍ଷଣ କେନ୍ଦ୍ର କୁ ଯାଇ ଅଭିଯୋଗକାରିଣୀ ଛାତ୍ରୀ, ଅଭିଯୁକ୍ତ ଛାତ୍ରୀ ଓ ଅନ୍ୟ ଛାତ୍ରୀ ମାନଙ୍କୁ ପଚରାଉଚୁରା କରିଛନ୍ତି । ସେହିପରି ପ୍ରଶିକ୍ଷଣ କେନ୍ଦ୍ରର ପ୍ରିନ୍ସପାଲ, ହଷ୍ଟେଲ ୱାର୍ଡେନ, ଅନ୍ୟ କର୍ମଚାରୀ ଙ୍କୁ ପଚରାଉଚୁରା କରାଯାଇଛି । ତଦନ୍ତ ନେଇ କମିଟି ର କୌଣସି ସଦସ୍ୟ ସଦସ୍ୟା କ୍ୟାମେରା ଆଗରେ ମୁହଁ ଖୋଲିବାକୁ ମନା କରିଦେଇଛନ୍ତି ।

ମହିଳା ସ୍ବାସ୍ଥ୍ୟକର୍ମୀ ପ୍ରଶିକ୍ଷଣ କେନ୍ଦ୍ର ରେ ଏ ପ୍ରକାର ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ଅଭିଭାବକ ମାନେ ଚିନ୍ତାରେ ଅଛନ୍ତି ।  ରାଗିଂ ଅଭିଯୋଗ ଆଣିଥିବା ଛାତ୍ରୀ ଜଣଙ୍କ ବିବାହିତା ଓ ତାଙ୍କର ଗୋଟିଏ ଛୋଟ ଛୁଆ ରହିଥିବା ବେଳେ ସେ ଛୁଆକୁ ବାପା ଘରେ ଛାଡି ହଷ୍ଟେଲ ରେ ରହି ପାଠ ପଢୁଥିବା ଜଣାପଡିଛି । ଏଭଳି ସ୍ଥିତିରେ ରାଗିଂ ରେ ସାମିଲ ରହୁଥିବା ଛାତ୍ରୀ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.