ଚାଷୀଙ୍କ ଆୟ ଓ ଭାଗଚାଷୀ ଆଇନକୁ ନେଇ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ, ମନ୍ତ୍ରୀ ସିଧାସଳଖ ଉତ୍ତର ନରଖିବାରୁ ଅସନ୍ତୋଷ ପ୍ରକାଶ କଲେ କଂଗ୍ରେସ ନେତା
6/07/2022 at 11:52 AM

ଭୁବନେଶ୍ବର ୬।୭: ଚାଷୀଙ୍କ ଆୟ ଓ ଭାଗଚାଷୀ ଆଇନକୁ ନେଇ ନରସିଂହ ଓ ରଣେନ୍ଦ୍ର ମୁହାଁମୁହିଁ । ରାଜ୍ୟରେ ଭାଗଚାଷୀ ଆଇନ ନଥିବା ସତ୍ତ୍ବେ କିପରି ରାୟଗଡ଼ାର ଚାଷୀଙ୍କୁ ସହାୟତା ଦିଆଗଲା ଏବଂ ସେହି ଜିଲ୍ଲାର ଚାଷୀଙ୍କ ଆୟ କେତେ ତାହାର ଉତ୍ତର ମନ୍ତ୍ରୀ ଗୃହରେ ରଖିବାକୁ ଦାବି କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ରାଜ୍ୟରେ ଚାଷୀଙ୍କ ଆୟ ୫ ହଜାର ୧୧୨ଟଙ୍କା ଥିବାବେଳେ ରାୟଗଡା ଜିଲ୍ଲାର ଚାଷୀଙ୍କ ଆୟ କେତେ ବୋଲି ପ୍ରଶ୍ନ କରି ମନ୍ତ୍ରୀଙ୍କଠୁ ସ୍ପଷ୍ଟ ଉତ୍ତର ଲୋଡିଥିଲେ ନରସିଂହ ।
ମନ୍ତ୍ରୀ ସିଧାସଳଖ ଉତ୍ତର ନ ରଖି କହିଥିଲେ, ଧାନ ସଂଗ୍ରହରେ ରାୟଗଡ଼ାରେ ଚାଷୀଙ୍କ ସଂଖ୍ୟା ୨୧.୩ ପ୍ରତିଶତ ବଢିଛି । ଯାହାକି ୨୦୧୮-୧୯, ୨୦୨୦-୨୧ ବର୍ଷ ତୁଳନାରେ ୯୨ ପ୍ରତିଶତ ବଢିଛି । ମାତ୍ର ମନ୍ତ୍ରୀ ସ୍ପଷ୍ଟ ଉତ୍ତର ନ ଦେଇଥିବା କହି ଅସନ୍ତୋଷ ବ୍ୟକ୍ତ କରିଥିଲେ ନରସିଂହ । ଗୃହରେ କିଛି ସମୟ ପାଇଁ ନରସିଂହ ମିଶ୍ର ଓ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।