ରାଞ୍ଚି, ୨୬/୨: ନିର୍ଣ୍ଣାୟକ ମୋଡ଼ରେ ରାଞ୍ଚି ଟେଷ୍ଟ । ତୃତୀୟ ଦିନରେ ଭାରତୀୟ ସ୍ପିନରଙ୍କ କମାଲ । ଭାରତର ବିଜୟ ପଥ ପରିଷ୍କାର । ଆଉ ମାତ୍ର ୧୫୨ ରନ କଲେ ଜିତିବ ଟିମ୍ ଇଣ୍ଡିଆ । ୧୦ ଓ୍ବକେଟ୍ ହାତରେ ରହିଛି । ଦୁଇ ଓପନର ରୋହିତ ଶର୍ମା ଏବଂ ଟପ୍ ଫର୍ମରେ ଥିବା ଯଶସ୍ବୀ ଜୈସ୍ବାଲ ୪୦ ରନ ସଂଗ୍ରହ କରି ଅନଆଉଟ୍ ରହିଛନ୍ତି ।
ଘରୋଇ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚତୁର୍ଥ ଟେଷ୍ଟ ନାଟକୀୟ ମୋଡ଼ ନେଇଛି । ମ୍ୟାଚ୍ର ପ୍ରଥମ ୨ ଦିନ ଇଂଲଣ୍ଡ ନିୟନ୍ତ୍ରଣରେ ରହିଥିଲା । ମାତ୍ର ତୃତୀୟ ଦିନ ଭାରତ ଦମ୍ଦାର ପ୍ରଦର୍ଶନ କରି ବାଜି ପଲଟାଇ ଦେଇଛି । ଧ୍ରୁବ ଜୁରେଲଙ୍କ ଦାୟିତ୍ୱପୂର୍ଣ୍ଣ ୯୦ ରନ୍ ପରେ ରବି ଚନ୍ଦ୍ରନ ଅଶ୍ୱିନ ଓ କୁଲଦୀପ ଯାଦବଙ୍କ ଯାଦୁକରୀ ସ୍ପିନ ବୋଲିଂ ବଳରେ ଭାରତ ବିଜୟ ପାଇଁ ପଥ ପରିଷ୍କାର କରିଛି । ଶେଷ ୨ ଦିନରେ ଭାରତ ବିଜୟ ପାଇଁ ଆଉ ମାତ୍ର ୧୫୨ ରନ୍ ଆବଶ୍ୟକ କରୁଥିବା ବେଳେ ହାତରେ ୧୦ଟି ଯାକ ୱିକେଟ୍ ରହିଛି ।
wp:embed {"url":"https://www.prameyanews7.com/india-conquers-ireland-4-0-in-a-fih-pro-league-2023-24-in-birsamunda-stadium/","type":"wp-embed","providerNameSlug":"prameya-news-7"}ଇଂଲଣ୍ଡର ପ୍ରଥମ ଇନିଂସ ୩୫୩ ରନ୍ ଜବାବରେ ଭାରତ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍ ହରାଇ ୩୦୭ ରନ୍ କରିଥିଲା । ୪୬ ରନ୍ରେ ଅଗ୍ରଣୀ ହାସଲ କରି ଇଂଲଣ୍ଡ ସିରିଜକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିଲା । ମାତ୍ର ଅଶ୍ୱିନ ଓ କୁଲଦୀପଙ୍କ ସ୍ପିନ୍ ବୋଲିଂ ବଳରେ ମ୍ୟାଚ୍ ଦିଗ ବଦଳାଇଥିଲା । ଇଂଲଣ୍ଡ ଅକ୍ତିଆରରୁ ମ୍ୟାଚ୍ ଛଡ଼ାଇ ଆଣିଥିଲେ ଦୁଇ ସ୍ପିନର । ଭ୍ରମଣକାରୀ ଦଳ ଦ୍ୱିତୀୟ ଇନିଂସରେ ମାତ୍ର ୧୪୫ ରନ୍ କରି ଅଲ୍ ଆଉଟ୍ ହୋଇଯାଇଥିଲା । ଅଶ୍ୱିନ ୫ ୱିକେଟ୍ ନେଇ ଅନୀଲ କୁମ୍ବଲେଙ୍କ ରେକର୍ଡ ସହ ସମକକ୍ଷ ହୋଇଥିଲେ । କୁଲଦୀପଙ୍କ ୪ଟି ୱିକେଟ୍ ନେଇଥିଲେ । ୧୯୨ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଭାରତ ଦ୍ୱିତୀୟ ଇନିଂସରେ ୪୦ ରନ୍ ସଂଗ୍ରହ କରି ନେଇଛି । ରୋହିତ ଶର୍ମା ୨୪ ଓ ଯଶସ୍ୱୀ ଜୈସ୍ୱାଲ ୧୬ ରନ୍ କରି ଅପରାଜିତ ରହିଛନ୍ତି । ଭାରତର ବିଜୟ ସମ୍ଭାବନା ବୃଦ୍ଧି ପାଇଥିଲେ ହେଁ ଇଂଲଣ୍ଡ ଦୌଡରୁ ବାଦ ପଡ଼ିନାହିଁ । ପୂର୍ବ ଦିନ ତୁଳନାରେ ପିଚ୍ରୁ ସ୍ପିନରମାନେ ଅଧିକ ଟର୍ଣ୍ଣ ପାଉଛନ୍ତି । ପୂର୍ବ ଭଳି ବଲ୍ ମନ୍ଥର ଓ ତଳୁଆ ରହୁଛି । ତେଣୁ ସାମାନ୍ୟ ବେପରୁଆ ବ୍ୟାଟିଂ କଲେ ଇଂଲଣ୍ଡ ସ୍ପିନର ବାଜି ପଲଟାଇ ଦେବେ ।