ପାନ ମସଲାରେ ମିଳିଲା ମ୍ୟାଗ୍ନେସିୟମ କାର୍ବୋନେଟ୍, ୧୧ଟି ବ୍ରାଣ୍ଡ ଉପରେ ଲାଗିଲା ବ୍ୟାନ୍, ହେବନି ବିକ୍ରି
8/05/2020 at 8:48 PM

ରାଞ୍ଚି ୦୮।୦୫: ଝାଡଖଣ୍ଡରେ ରଜନୀଗନ୍ଧା, ରାଜନିବାସ, ପାନ ପରାଗ, ବିମଲ ସମେତ ୧୧ଟି ବ୍ରାଣ୍ଡର ପାନ ମସଲାର ଉତ୍ପାଦନ, ବିକ୍ରି ଏବଂ ଷ୍ଟକ ଉପରେ ଏକ ବର୍ଷ ଲାଗି ପ୍ରତିବନ୍ଧକ ଲଗାଯାଇଛି। ଝାଡଖଣ୍ଡ ସରକାର ପାନ ମସଲାର ବିଭିନ୍ନ ବ୍ରାଣ୍ଡର ଯାଞ୍ଚ ପରେ ଏଥିରୁ ମ୍ୟାଗ୍ନେସିୟମ କାର୍ବୋନେଟ୍ ମିଳିବା ପରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କିଛି ଦିନ ତଳେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାର ରାଜ୍ୟର ସ୍ଵାସ୍ଥ୍ୟ ସଚିବ ସହ ରାଜ୍ୟ ଖାଦ୍ୟ ସଂରକ୍ଷଣ ଆୟୋଗ ଡ. ନୀତିନ ମଦନ କୁଲକର୍ଣ୍ଣି ରାଜ୍ୟର ୧୧ଟି ବ୍ରାଣ୍ଡ ପାନ ମସଲା ରଜନୀଗନ୍ଧା, ବିମଲ, ଶିଖର, ପାନ ପରାଗ, ଦିଲରୁବା, ରାଜନିବାସ, ସୋହରତ, ମୁସାଫିର, ମଧୁ, ବହାର, ପାନ ପରାଗ ପ୍ରିମିୟମ ଆଦି ଉପର ପ୍ରତିବନ୍ଧକ ଲଗାଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମିଳିଥିବା ୪୧ ପାନ ମସଲାର ନମୂନା ଯାଞ୍ଚ ପରେ ସେଥିରୁ ମ୍ୟାଗ୍ନେସିୟମ କାର୍ବୋନେଟ୍ ଥିବା ଜଣା ପଡିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।
ମ୍ୟାଗ୍ନେସିୟମ କାର୍ବୋନେଟ୍ରେ ହୃଦରୋଗ ସହିତ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ। ପାନ ମସଲା ଲାଗି ଖାଦ୍ୟ ସୁରକ୍ଷା ଆକ୍ଟ ୨୦୦୬ରେ ଉଲ୍ଲେଖ ମାନଦଣ୍ଡ ମୁତାବକ ପାନ ମସଲାରେ ମ୍ୟାଗ୍ନେସିୟମ କାର୍ବୋନେଟ୍ ମିଶାଇବା ଉପରେ ନିଷୋଧାଦେଶ ରହିଛି। ଏଥିପାଇଁ ଲୋକଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକ ଏକ ବର୍ଷ ଲାଗି ଲଗା ଯାଇଛି।