ମୁମ୍ଵାଇ ୧୫।୧୨: ରଣବୀର କପୁର ଓ ଶ୍ରଦ୍ଧା କପୁରଙ୍କ ବହୁପ୍ରତୀକ୍ଷିତ ଫିଲକୁ ଟାଇଟଲ୍ ମିଳିଛି । ଟିଜର୍ ଜରିଆରେ ଫିଲ୍ମର ଟାଇଟଲ୍ ଖୁଲାସା କରିଛନ୍ତି ଶ୍ରଦ୍ଧା । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେ ସେୟାର କରିଛନ୍ତି, ଯେଉଁଥିରେ ଏହି ରୋମାଣ୍ଟିକ୍-କମେଡିର ଟାଇଟଲ୍ ଦିଆଯାଇଛି ‘ତୁ ଝୁଠି ମେଁ ମକ୍କାର୍’। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଲଭ୍ ରଞ୍ଜନ । ଟିଜର୍ରେ ଫିଲ୍ମର ଟାଇଟଲ୍କୁ ବେଶ ରଙ୍ଗୀନ୍ ଓ ମଜାଦାର ଢଙ୍ଗରେ ଉପସ୍ଥାପନ କରାଯାଇଛି ।
ରଣବୀର ଓ ଶ୍ରଦ୍ଧା ନିଜ ନିଜ ହଟ୍କେ ଚରିତ୍ରର ପ୍ରଥମ ଝଲକ୍ ବି ଫ୍ୟାନ୍ଙ୍କ ସାମ୍ନାକୁ ଆଣିଛନ୍ତି । ଏହାର ଦିନକ ପୂର୍ବରୁ ଇଣ୍ଟରନେଟ୍ରେ ଶ୍ରଦ୍ଧା ଫିଲ୍ମର ଟାଇଟଲ୍କୁ ‘ଟିଜେଏମ୍ଏମ୍’ ରୂପରେ ସେୟାର କରିଥିଲେ। ଯାହାର ପୂରା ନାଁ ଅନୁମାନ କରିବାକୁ ସେ ଫ୍ୟାନ୍ଙ୍କୁ କହିଥିଲେ । ରଣବୀରଙ୍କ ପତ୍ନୀ ତଥା ଅଭିନେତ୍ରୀ ଆଲିୟା ଭଟ୍ଟ ଫିଲ୍ମର ଏକ ମଜାଦାର ନାଁ ମଧ୍ୟ ସେୟାର କରିଥିଲେ।
ଏହି ବହୁ ଚର୍ଚ୍ଚିତ ଫିଲ୍ମରେ ରଣବୀର ଓ ଶ୍ରଦ୍ଧା ପ୍ରଥମ ଥର ଏକାଠି ସ୍କ୍ରିନ ସେୟାର କରିବେ। ‘ପ୍ୟାର୍ କା ପଞ୍ଚନାମା’, ‘ସୋନୁ କେ ଟିଟୁ କି ସ୍ୱିଟି’ ଭଳି ହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଲଭ୍ ରଞ୍ଜନ ଅଙ୍କୁର ଗର୍ଗଙ୍କ ସହ ମିଶି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି । ଆସନ୍ତା ମାର୍ଚ୍ଚ ୮ ତାରିଖ, ଅର୍ଥାତ୍ ହୋଲି ଅବସରରେ ଫିଲ୍ମ ରିଲିଜ୍ ହେବ । ଏହା ପୂର୍ବରୁ ବିଭିନ୍ନ କାରଣ ପାଇଁ ଏହାର ରିଲିଜ୍ ତାରିଖ ଘୁଞ୍ଚିଛି ।