ନୂଆଦିଲ୍ଲୀ, ୮/୧୨: ବାୟୁସେନାରେ ସାମିଲ ହେବ ରାମ୍ପେଜ ମିସାଇଲ। ଇସ୍ରାଏଲରୁ ଆସିଥିବା ରାମ୍ପେଜ୍ ମିସାଇଲ ପାଇଁ ଗୋଆର ଚିକାଲିମରେ ଏକ ଟେଷ୍ଟିଂ ଫାସିଲିଟି ତିଆରି କରାଯାଉଛି। ଏହା ଲମ୍ବା ଦୂରତା ଅତିକ୍ରମ କରିପାରୁଥିବା ମିସାଇଲ ଆକାଶରୁ ଭୂପୃଷ୍ଠକୁ ଟାର୍ଗେଟ କରିପାରୁଥିବା ଏକ ସୁପରସୋନିକ୍ ମିସାଇଲ। ଏହି ମିସାଇଲ ୧୫ ଫୁଟ୍ ଲମ୍ବ ଏବଂ ଏହାର ଓଜନ ୫୭୦ କିଲୋଗ୍ରାମ୍ ରହିଛି। ଏହା ଜିପିଏସ ଦ୍ବାରା ପରିଚାଳିତ ମିସାଇଲ ଯାହା ଇରାନର ଏସ-୩୦୦ ଡିଫେନ୍ସ ସିଷ୍ଟମକୁ ଜବାବ ଦେଇପାରେ।
ରାମ୍ପେଜ୍ ମିସାଇଲ ରାଡାରେ ଧରାପଡ଼ିଲେ ବି ଏହାର ପ୍ରଖର ଗତି ଯୋଗୁଁ ଏହାକୁ ରୋକିବା ମୁସ୍କିଲ୍। ଅର୍ଥାତ୍ ଶତ୍ରୁ ଚାହିଁଲେ ବି ଏହାକୁ ଇଣ୍ଟରସେପ୍ଟର ମିସାଇଲ ଦ୍ବାରା ଖସାଇପାରିବନାହିଁ। ରାମ୍ପେଜ୍ ମିସାଇଲ ଦ୍ବାରା ଭାରତ ଫାଇଟର ଜେଟରୁ ସୀମା ସେପଟେ ଥିବା ଶତ୍ରୁର କମାଣ୍ଡ ସେଣ୍ଟର, ଏୟାର ଫୋର୍ସ ବେସ୍ ଆଦିକୁ ନଷ୍ଟ କରିପାରିବ।
ଏହି ମିସାଇଲକୁ ଇସ୍ରାଏଲୀ ଏରୋସ୍ପେସ୍ ଇଣ୍ଡଷ୍ଟ୍ରି ତିଆରି କରିଛି। କମ୍ପାନୀ ଅନୁଯାୟୀ ମିସାଇଲ କୌଣସିବି ପାଣିପାଗରେ ଲଞ୍ଚ କରାଯାଇପାରିବ। ଏହା ଏକାଥରେ କୌଣସି ଫାଇଟର ଜେଟ୍ ଉପରେ ଚାରି ମିସାଇଲ ଲଞ୍ଚ କରିପାରିବ। ଏହା ଜିପିଏସ/ଆଇଏନଏସ ଗାଇଡାନ୍ସ ନାଭିଗେସନ ଏବଂ ଆଣ୍ଟି ଜାମିଂ ଟେକ୍ନୋଲୋଜୀ ଦ୍ବାରା ଖଚିତ। ଏଥିପାଇଁ ଏହାକୁ ହ୍ୟାକ୍ କିମ୍ବା ଜାମ୍ କରି ମଝିରୁ ଅଟକାଇବା କିମ୍ବା ଦିଗ ପରିବର୍ତ୍ତନ କରାଯାଇପାରିବନାହିଁ। ଏହାକୁ ଥରେ ଟାର୍ଗେଟ ଉପରେ ଲଞ୍ଚ କଲେ ଆଉ ଏହାକୁ ରୋକାଯାଇପାରିବ ନାହିଁ। ଏହା କୌଣସି ବଙ୍କର କିମ୍ବା କିଲାକୁ ଅତି ସହଜରେ ନଷ୍ଟ-ଭ୍ରଷ୍ଟ କରିପାରେ।