ପରଲୋକରେ ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା, ଶୁକ୍ରବାର ହସ୍ପିଟାଲରେ ହୋଇଥିଲେ ଭର୍ତ୍ତି

Published By : Prameya-News7 Bureau | June 08, 2024 IST

ହାଇଦ୍ରାବାଦ ୦୮।୦୬: ପରଲୋକରେ ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓ । ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯାଇଥିଲା । ଏହାପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରିପୋର୍ଟ ଅନୁଯାୟୀ ଉଚ୍ଚ ରକ୍ତଚାପ ଏବଂ ନିଶ୍ବାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । 

ଶନିବାର ଭୋର ୪ ଟା ୫୦ ବେଳେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଗଣମାଧ୍ୟମ ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ବିଶ୍ବର ସର୍ବବୃହତ୍ତ ଫିଲ୍ମ ସିଟି ‘ରାମୋଜୀ ଫିଲ୍ମସିଟି’ର ପ୍ରତିଷ୍ଠାତା ଥିଲେ ଚେରୁକୁଡି ରାମୋଜୀ ରାଓ ।

ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ଅପରାହ୍ନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ତାଙ୍କ ପ୍ରାର୍ଥିବ ଶରୀର ଫିଲ୍ମ ସିଟି ସ୍ଥିତ ବାସଭବନକୁ ଅଣାଯାଇଛି । ରାମୋଜୀ ରାଓ ଦକ୍ଷିଣ ଭାରତୀୟ ସିନେମା ପାଇଁ ୪ଟି ଫିଲ୍ମ ଫେୟାର ଆଓ୍ବାର୍ଡ, ତେଲଗୁ ସିନେମା ପାଇଁ ଜାତୀୟ ଫିଲ୍ମ ଫେୟାର ଆଓ୍ବାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ଭାରତୀୟ ସାହିତ୍ୟ, ସମ୍ବାଦିକତା ଓ ଶିକ୍ଷା କ୍ଷେତ୍ରରେ ଅତୂଳନୀୟ ଅବଦାନ ପାଇଁ ବର୍ଷ ୨୦୧୬ରେ ତାଙ୍କୁ ସମ୍ମାନଜନକ ଦେଶର ଦ୍ବିତୀୟ ସର୍ବୋଚ୍ଚ ସମ୍ମାନ ‘ପଦ୍ମବିଭୂଷଣ’ରେ ସମ୍ମାନିତ କରାଯାଇଥିଲା । 

ଏକଧାରାରେ ଜଣେ ଶିଳ୍ପପତି, ସିନେ ପ୍ରଯୋଜକ, ମିଡିଆ ଏଣ୍ଟରପ୍ରିନିୟର, ଲେଖକ ଓ ସ୍ତମ୍ଭକାର ଭାବେ ତାଙ୍କର ବଳିଷ୍ଠ ପରିଚୟ ଥିଲା । ହାଇଦ୍ରାବାଦରେ ସେ ‘ରାମୋଜୀ ଫିଲ୍ମ ସିଟି’ ପ୍ରତିଷ୍ଠା କରିଥିଲେ, ଯାହା ବିଶ୍ବର ସର୍ବବୃହତ୍ତ ସିନେହବ୍ ଭାବେ ପରିଚିତ । ବହୁଭାଷୀ ଗଣମାଧ୍ୟମ ସଂସ୍ଥା ‘ଇଟିଭି’ ଓ ‘ଇନାଡୁ’ ସମ୍ବାଦପତ୍ର ମଧ୍ୟ ତାଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା । ରାଓଙ୍କ ବ୍ୟବସାୟିକ ସାମ୍ରାଜ୍ୟ କେବଳ ସିନେମା ଓ ଗଣମାଧ୍ୟମ ବ୍ୟାପାରରେ ସୀମିତ ନଥିଲା । ମାର୍ଗଦର୍ଶୀ ଚିଟଫଣ୍ଡ, ମୟୁରୀ ଫିଲ୍ମ ଡିଷ୍ଟ୍ରିବୁସନ, ପ୍ରିୟା ଫୁଡ୍ସ, ଡଲଫିନ୍‌ ହୋଟେଲ ଗ୍ରୁପ ପ୍ରମୁଖ ମଧ୍ୟ ରାମୋଜୀ ଗ୍ରୁପର ବିଭିନ୍ନ ଶାଖା ଥିଲା । 

ରାଓଙ୍କ ଦେହାନ୍ତରେ ଦକ୍ଷିଣ ଭାରତ ସମେତ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ ମୋଦି, ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରୀ, ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ପ୍ରାର୍ଥୀବ ଶରୀର ରାମୋଜୀ ଫିଲ୍ମ ସିଟିର ମୁଖ୍ୟାଳୟକୁ ଅଣାଯିବା ପରେ ବହୁବିଶିଷ୍ଟ ବ୍ୟକ୍ତିବିଶେଷ ଶେଷ ଦର୍ଶନ ପାଇଁ ପହଞ୍ଚିଛନ୍ତି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ଅପରାହ୍ନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।

ରାମୋଜୀ ରାଓଙ୍କ ବିୟୋଗରେ ଟ୍ବିଟ୍ କରି ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଜୀବନଯାତ୍ରା ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.