ପିସିବି ଅଧ୍ୟକ୍ଷ ପଦରୁ ହଟିବେ ରମିଜ୍ ରାଜା ! ବିଶ୍ଵ କପ୍ରୁ ପାକିସ୍ତାନ ଓହରିବ ବୋଲି ଦେଇଥିଲେ ଚେତାବନୀ
17/12/2022 at 9:13 PM

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ନେଇ ଆସିଛି ବଡ ଖବର। ଇଂଲଣ୍ଡ ନିକଟରୁ ଟେଷ୍ଟ ସିରିଜ୍ରେ ପରାଜୟ ପରେ ରମିଜ୍ ରାଜାଙ୍କୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପଦରୁ ହଟାଯାଇପାରେ। ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଶେଷ ମ୍ୟାଚ୍ ବର୍ତ୍ତମାନ କରାଚିରେ ଖେଳାଯାଉଛି।
ନିଜର ଛୋଟ କାର୍ଯ୍ୟାଳୟରେ କାମଠୁ ଅଧିକ ନିଜର ବ୍ୟକ୍ତିଗତ ବୟାନ ପାଇଁ ଚର୍ଚ୍ଚାରେ ରହିଥିବା ରମିଜ ରାଜାଙ୍କୁ ଶୀଘ୍ର ପିସିବି ପ୍ରମୁଖ ପଦରୁ ହଟାଯିବାର ସମ୍ଭାବନା ରହିଛି। ପାକିସ୍ତାନ ଗଣମାଧ୍ୟମ ଅନୁଯାୟୀ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କ୍ରିକେଟ୍ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ନଜମ ସେଠୀଙ୍କୁ ପୁନର୍ବାର ଏହି ପଦରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସୂଚନାଯୋଗ୍ୟ, ରମିଜ୍ ରାଜାଙ୍କୁ ୨୦୨୧ରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ପଦ ଭାବେ ନିଯୁକ୍ତ କରାଯାଇଥିଲା। ସେହି ସମୟରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଇମ୍ରାନ ଖାନ ରମିଜଙ୍କୁ ଏହି ଦାୟିତ୍ଵ ଦେଇଥିଲେ। ଏହା ପରଠୁ ରମିଜ୍ ରାଜା ଲଗାତାର ଚର୍ଚ୍ଚାର ବିଷୟ ପାଲଟିଥିଲେ। ନିକଟରେ ଭାରତୀୟ କ୍ରିକେଟ୍ ଦଳର ପାକିସ୍ତାନ ଗସ୍ତ ଏବଂ ପାକିସ୍ତାନର ଭାରତରେ ହେବାକୁ ଥିବା ବିଶ୍ଵ କପ୍ରେ ଅଂଶଗ୍ରହଣ କରିବା ନେଇ ନିକଟରେ ରମିଜ୍ ରାଜା ଦେଇଥିବା ବୟାନ ଖୁବ୍ ଚର୍ଚ୍ଚା ସାଉଁଟି ଥିଲା। ପାକିସ୍ତାନ କ୍ରିକେଟ୍ ଦଳରେ ଖେଳାଳିଙ୍କ ଚୟନକୁ ନେଇ ତାଙ୍କର ପସନ୍ଦ ନାପସନ୍ଦକୁ ନେଇ ମଧ୍ୟ ଅଭିଯୋଗ ଉଠିଥିଲା।
ପ୍ରସିଦ୍ଧ ସାମ୍ବାଦିକ ନଜମ ସେଠୀ ଦୀର୍ଘ ସମୟରୁ ପାକିସ୍ତାନ କ୍ରିକେଟ୍ ସହ ସଂଶ୍ଳିଷ୍ଟ ଅଛନ୍ତି। ସେ ଦୁଇ ଥର ପିସିବିର ଅଧ୍ୟକ୍ଷ ରହି ସାରିଛନ୍ତି। ଏହା ପୂର୍ବରୁ ୨୦୧୩ରୁ ୨୦୧୪ ପର୍ଯ୍ୟନ୍ତ ଏବଂ ପୁଣି ୨୦୧୭ରୁ ୨୦୧୮ ପର୍ଯ୍ୟନ୍ତ ପିସିବିର ଅଧ୍ୟକ୍ଷ ରହିଥିଲେ। ତାଙ୍କୁ ପାକିସ୍ତାନର ପ୍ରମୁଖ ଟି-୨୦ ଟୁର୍ଣ୍ଣାମେଣ୍ଟ, ପାକିସ୍ତାନ ସୁପର ଲିଗ୍ ଆରମ୍ଭ କରିବାର ଶ୍ରେୟ ଦିଆଯାଏ।