ଖୁବ୍‌ଶୀଘ୍ର ୪ ଭାଗ ହେବ ପାକିସ୍ତାନ, ୩ ଭାରତ ସହ ମିଶିଯିବେ: ରାମଦେବଙ୍କ ଭବିଷ୍ୟବାଣୀ  

Published By : Prameya-News7 Bureau | January 26, 2023 IST

ନୂଆଦିଲ୍ଳୀ, ୨୬/୦୧: ପାକିସ୍ତାନ ବର୍ତ୍ତମାନ ଖରାପ ସ୍ଥିତି ଦେଇ ଗତି କରୁଛି। ପଡ଼ୋଶୀ ଦେଶରେ ଆର୍ଥିକ ସ୍ଥିତି ଖୁବ୍ ଖରାପ ରହିଛି ଲୋକେ ଖାଦ୍ୟ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାରି ମଧ୍ୟରେ ପାକିସ୍ତାନକୁ ନେଇ ବାବା ରାମଦେବ ଏକ ଭବିଷ୍ୟବାଣୀ କରିଛନ୍ତି। ଯୋଗ ଗୁରୁ ରାମଦେବ କହିଛନ୍ତି ଯେ ଖୁବ୍ ଜଲଦୀ ପାକିସ୍ତାନ ଚାରି ଭାଗ ହୋଇଯିବ। ୩ ର ବିଲୟ ଭାରତରେ ହୋଇଯିବ ଏବଂ ପାକିସ୍ତାନ ଏକ ଛୋଟ ଦେଶ ହୋଇ ରହିଯିବ।

ଗଣତନ୍ତ୍ର ଦିବସରେ ହରିଦ୍ବାର ସ୍ଥିତ ପତଞ୍ଜଳୀ ଯୋଗପୀଠରେ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ଏଭଳି କହିଛନ୍ତି ରାମଦେବ। ରାମଦେବ କହିଛନ୍ତି ପାକିସ୍ତାନର ଚାରି ଭାଗ ହୋଇଯିବ। ପାକିସ୍ତାନରୁ ବେଲୁଚିସ୍ତାନ, ପିଓକେ ଏବଂ ପଞ୍ଚାବକୁ ଅଲଗା କରିଦିଆଯିବ। ପିଓକେ ଭାରତ​ରେ ବିଲୟ ହୋଇଯିବ। ଏହାପରେ ବେଲୁଚିସ୍ତାନ ମଧ୍ୟ ଭାରତର ଶରଣକୁ ନିଜେ ଆସିଯିବ। ପଞ୍ଚାବ ସିନ୍ଧ୍‌ ପ୍ରାନ୍ତ ମଧ୍ୟ ଭାରତରେ ବିଲୟ ହୋଇଯିବ।

ସୂଚନାଯୋଗ୍ୟ, ପାକିସ୍ତାନ ପୂର୍ବରୁ ଦୁଇ ଭାଗ ହୋଇସାରିଛି। ୧୯୭୧ ରେ ଭାରତ ସହଯୋଗରେ ବାଙ୍ଗଲାଦେଶ ପାକିସ୍ତାନ ଠାରୁ ସ୍ବାଧୀନତା ପାଇଥିଲା। କାଶ୍ମୀରର ଏକ ବଡ଼ ଅଂଶରେ ପାକିସ୍ତାନର ଅବୈଧ କବ୍ଜା ରହିଛି। ପିଓକେରେ ପାକିସ୍ତାନର କ୍ରୁର ଶାସନ ଯୋଗୁଁ ଅସନ୍ତୋଷ ଜାରି ରହିଛି। ଯାହାକୁ ନେଇ ଅନେକ ସମୟରେ ଏଠାରେ ବିରୋଧ ପ୍ରଦର୍ଶନ ମଧ୍ୟ ହେଉଛି। ସେହିଭଳି ବେଲୁଚିସ୍ତାନ ମଧ୍ୟ ଅନେକ ସମୟରୁ ପାକିସ୍ତାନ ଠାରୁ ଅଲଗା ହେବା ପାଇଁ ଚାହୁଛି।

ଏଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ରାମଚରିତମାନସ ଉପରେ ନେତାଙ୍କ ବିବାଦୀୟ ଟିପ୍ପଣୀ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଏବଂ ବାଗେଶ୍ବର ଧାମର ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ନେଇ ଲାଗିରହିଥିବା ବିବାଦ ଉପରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଅନେକ ସମୟରେ ଧର୍ମଶାସ୍ତ୍ରକୁ ନେଇ ତ’ ପୁଣି କେତେବେଳେ ଆମର ମହାପୁରୁଷଙ୍କ ଉପରେ ମିଥ୍ୟା ଅଭିଯୋଗ ଲଗାଯାଉଛି। ଏଥିରୁ ଜଣାପଡ଼ୁଛି ଏମାନେ ଅର୍ନ୍ତଜାତୀୟ ଶକ୍ତିର ଇସାରାରେ ଏଭଳି ଷଡ଼ଯନ୍ତ୍ର କରୁଛନ୍ତି କିମ୍ବା ଭାରତକୁ ଅପମାନିତ କରିବା ପାଇଁ ଚେଷ୍ଟା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.