ହରିଦ୍ବାର୨୮|୫: ଚଳିତ ମାସ ୨୩ ତାରିଖରେ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା। ସବୁ ରେକର୍ଡକୁ ଭାଙ୍ଗି ବିଜେପି ଏବଂ ଏନଡିଏ ସ୍ପଷ୍ଟ ବହୁମତ ହାସଲ କରିଥିଲା। ୧୯୮୪ ମସିହା ପରେ କୌଣସି ଅଣକଂଗ୍ରେସ ଦଳ କେନ୍ଦ୍ରରେ ଏଭଳି ସଫଳତା ହାସଲ କରିନଥିଲା। ମୋଦିଙ୍କର ଏହା ଏକ ଐତିହାସିକ ବିଜୟ ଥିଲା କହିଲେ ଭୁଲ ହେବ ନାହିଁ।
୫୪୩ଟି ଆସନ ବିଶିଷ୍ଟ ଲୋକସଭାରେ ଏହି ନର୍ବାଚନରେ ଏନଡିଏକୁ ୩୫୩ଟି ଆସନ ମିଳିଥିଲା। ଏଭଳି ଅଭୂତ ପୂର୍ବ ସଫଳତା ଭାରତୀୟ ରାଜନୈତିକ ଇତିହାସରେ ବିରଳ। ଏଭଳି ସ୍ପଷ୍ଟ ବହୁମତ ସହ ଆସନ୍ତା ୩୦ ତାରିଖରେ ମୋଦି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ତେବେ ଏହା ପୂର୍ବରୁ ଯୋଗଗୁରୁ ରାମଦେବ ବାବାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଆସିଛି।
ମୋଦିଙ୍କ ଏହି ସଫଳତାକୁ ସ୍ମରଣୀୟ କରିବା ପାଇଁ ଯୋଗଗୁରୁ ପ୍ରସ୍ତାବ ଦେଇଛନ୍ତି। ମେ ୨୩ ତାରିଖରେ ନିର୍ବାଚନ ଫଳ ପ୍ରକାଶିତ ହୋଇଥିଲା। ସବକା ସାଥ ସବକା ବିକାଶ ନାରା ଦେଇ ମୋଦି ବିପୁଳ ସଫଳତା ହାସଲ କରିଥିବାରୁ ଏହି ଦିନଟିକୁ ବିକାଶର ଦିନ ବା ମୋଦିଙ୍କ ଦିନ ଭାବେ ପାଳନ କରିବା ଲାଗି ରାମଦେବ ପ୍ରସ୍ତାବ ରଖିଛନ୍ତି।
ନରେନ୍ଦ୍ର ମୋଦିଙ୍କୁ ଅନ୍ୟ ଅର୍ଥରେ ସେ ବିକାଶ ପୁରୁଷ ବୋଲି କହିଛନ୍ତି। ତେଣୁ ମେ ୨୩ ମୋଦି ଦିବସ ବା ଜନକଲ୍ୟାଣ ଦିବସ ଭାବେ ପାଳନ କରିବା ଉଚିତ୍ ବୋଲି ସେ କହିଛନ୍ତି। ପତଞ୍ଜଳି ଯୋଗପିଠରେ ପତଞ୍ଜଳି ଡାୟରୀ ବା ଦୁଗ୍ଧଯାତ ଉତ୍ପାଦର ଶୁଭାରମ୍ଭ ଅବସରରେ ଏହି ବିଷୟରେ ଆଲୋଚନା କରି ରାମଦେବ ବାବା ଏହି ପ୍ରସ୍ତାବ ଦେଇଛନ୍ତି।