ସାପ୍ତାହିକ ହାଟରୁ ଫେରୁଥିଲେ, ଡଙ୍ଗା ବୁଡି ରାମଚନ୍ଦ୍ର ନିଖୋଜ
10/09/2023 at 9:40 AM

କାଲିମେଳା ୧୦।୦୯ : ମାଲକାନଗିରି ଜିଲ୍ଲା ବାଲିମେଳି ଜଳଭଣ୍ଡାରରେ ଅଘଟଣ । ଦେଶୀ ଡଙ୍ଗା ବୁଡି ଜଣେ ନିଖୋଜ ହୋଇଛନ୍ତି । ନିଖୋଜ ବ୍ୟକ୍ତି ଜଣଙ୍କ ହେଲେ ରାମଗୁଡାର ବାସିନ୍ଦା ରାମଚନ୍ଦ୍ର ମୁଦୁଲି ବୋଲି ଜଣାପଡିଛି । ତାଙ୍କ ବୟସ ୪୭ ବର୍ଷ ବୋଲି ସୂଚନା ରହିଛି ।

ଖବର ଅନୁଯାୟୀ, ରାମଚନ୍ଦ୍ର ମୁଦୁଲି ଦରଲାବେଡା ସାପ୍ତାହିକ ହାଟରୁ ହାଟ କରି ସାରି ଏକ ଦେଶୀ ଡଙ୍ଗା ରେ ନିଜ ଘର ଅଣ୍ଡ୍ରାପାଲ୍ଲି ପଞ୍ଚାୟତ ଅନ୍ତର୍ଗତ ରାମଗୁଡାକୁ ଫେରୁଥିଲେ । ତେବେ ପଲାସପଦର ଘାଟ ଠାରେ ଡଙ୍ଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରେ ରାମଚନ୍ଦ୍ର ଜଳଭଣ୍ଡାର ମଧ୍ୟରେ ନିଖୋଜ ହୋଇଯାଇଥିଲେ । ଶନିବାର ଠାରୁ ରାତିତମାମ ସ୍ଥାନୀୟ ଲୋକେ ଖୋଜା ଖୋଜି କରୁଥିବା ବେଳେ ଆଜି ଭୋରରୁ ଅଗ୍ନିଶମ ବାହିନୀ ଓ ଯୋଡାମ୍ବ ପୋଲିସ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ରାମଚନ୍ଦ୍ରଙ୍କ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।