ପବିତ୍ର ଶ୍ରୀରାମ ନବମୀ, ଶ୍ରୀମନ୍ଦିରରେ ରାମଜନ୍ମ ନୀତି
30/03/2023 at 7:41 AM

ପୁରୀ ୩୦।୦୩ : ଆଜି ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ରାମଜନ୍ମ ନୀତି। ଶ୍ରୀମନ୍ଦିରରେ ଦ୍ୱିତୀୟ ଭୋଗ ମଣ୍ତପ ପରେ ଏହି ଜନ୍ମନୀତି ପାଳନ ହେବ। ରାମ ଜନ୍ମ ଠାରୁ ଆରମ୍ଭ କରି ଯଜ୍ଞ ରକ୍ଷା, ସୀତାବିବାହ ସହ ରାବଣ ବଧ ପର୍ଯ୍ୟନ୍ତ ସମସ୍ତ ରାମଲୀଳା ନୀତି ଶ୍ରୀମନ୍ଦିରରେ ପ୍ରତ୍ୟେକ ଦିନ ପାଳନ ହେବ।
ସେହିପରି ଆଜିଠାରୁ ବିଭିନ୍ନ ସାହିରେ ସାହିଯାତ କରାଯାଇ ଏହି ରାମଲୀଳା ପର୍ବକୁ ପାଳନ କରିବାର ପରମ୍ପରା ରହିଛି। ପୁରୀ ରେଳଷ୍ଟେସନ ନିକଟ ଶ୍ରୀରାମ ମନ୍ଦିରରେ ମଧ୍ୟ ସକାଳୁ ସକାଳୁ ପ୍ରବଳ ଭକ୍ତଙ୍କ ଭିଡ ଜମିଛି। ପ୍ରଭୁ ଶ୍ରୀରାମଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖୁଥିବା ଭକ୍ତ ଶ୍ରଦ୍ଧାଳୁ ମାନେ ସକାଳୁ ମନ୍ଦିର ଆସି ଦର୍ଶନ କରୁଛନ୍ତି। ଭକ୍ତ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀରାମ ମନ୍ଦିର କମିଟି ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି।
ଏପଟେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ରାମନବମୀ ଅବସରରେ କଟକ କରତକଳରେ କାଠ ଚିରଟ କାର୍ଯ୍ୟର ଅନୁକୂଳ ହେବ। ଏଥିପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ମାଳ ମାହାର୍ଦ୍ଦ ନେଇ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ ଏକ ପ୍ରତିନିଧି ଦଳ କଟକ ଅଭିମୁଖେ ଯାତ୍ରା କରିବେ।