ଦୀପାବଳି ପରେ ପରେ ଅଯୋଧ୍ୟାରେ ଆରମ୍ଭ ହେବ ରାମ ମନ୍ଦିର ନିର୍ମାଣ, ଅଦାଲତ ରାୟକୁ ଅପେକ୍ଷା କରିବନି ଶିବସେନା

Published By : Prameya-News7 Bureau | October 05, 2018 IST

ନୂଆଦିଲ୍ଲୀ ୫/୧୦ : ଅକ୍ଟୋବର ୨୯ ତାରିଖରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହେବ | ତେବେ ଏହା ପୂର୍ବରୁ ଆଜି ଶିବସେନା ଏକ ବିବାଦୀୟ ଏବଂ ଗୁରୁତ୍ୱପୂର୍ଣ ବୟାନ ଦେଇଛି | ଶିବସେନାର ବରିଷ୍ଠ କର୍ମକର୍ତ୍ତା ସଞ୍ଜୟ ରାଉତ କହିଛନ୍ତି ଯେ, ଦୀପାବଳୀ ପରେ ପରେ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ | ଲକ୍ଷ ଲକ୍ଷ ଶିବସେନା ଏହି ନିର୍ମାଣରେ ସାମିଲ ହେବେ | ବାବ୍ରି ମସଜିଦକୁ ଭାଙ୍ଗିବା ବେଳେ ସୁପ୍ରିମକୋର୍ଟଙ୍କ ଅନୁମତି ନିଆଯାଇନଥିଲା | ତେଣୁ ସେଠାରେ ରାମମନ୍ଦିର ନିର୍ମାଣ ପାଇଁ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅପେକ୍ଷା କରିବାର କୌଣସି ଯଥାର୍ଥତା ନାହିଁ | ସଞ୍ଜୟ ରାଉତ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ବିଳମ୍ବ ହେଉଥିବା ନେଇ ବିଜେପିକୁ ଟାର୍ଗେଟ କରିଛନ୍ତି | ସେ କହିଛନ୍ତି ଯେ, ରାମମନ୍ଦିର ନିର୍ମାଣ ପାଇଁ କେନ୍ଦ୍ର ସରକାର ତୁରନ୍ତ ଅଧ୍ୟାଦେଶ ଆଣିବା ଦରକାର | ଅଯୋଧ୍ୟାଠାରେ ରାମମନ୍ଦିର ନିର୍ମାଣ ନାରା ଦେଇ ବିଜେପି କ୍ଷମତାକୁ ଆସିଛି ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି | ସୂଚନାଯୋଗ୍ୟ ଯେ, ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ନେଇ ଅକ୍ଟୋବର ୨୮ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରୁଥିବାରୁ ଏ ପ୍ରସଙ୍ଗରେ ରଣନୀତି ପ୍ରସ୍ତୁତ କରିବା ପାଇଁ ମୁସଲିମ ପର୍ସନାଲ ଲ ବୋର୍ଡର ଏକ ଗୁରୁତ୍ୱପୂର୍ଣ ବୈଠକ ଆଜି ଦିଲ୍ଲୀ ଠାରେ ଅନୁଷ୍ଠିତ ହୋଇଛି | ଏହି ବୈଠକରେ ବାବ୍ରୀ ମସଜିଦ ଆକ୍ସନ କମିଟି, ସୁନ୍ନି ପର୍ସନାଲ ଲ ବୋର୍ଡ ଏବଂ ମୁସଲିମ ପର୍ସନାଲ ଲ ବୋର୍ଡ ଲିଗାଲ ସେଲର ବ୍୨୦ ରୁ ଅଧିକ ବରିଷ୍ଠ ଓକିଲ ଯୋଗ ଦେଇଛନ୍ତି | ସେହିଭଳି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ମଧ୍ୟ ଦିଲ୍ଲୀଠାରେ ଆଜି ଅଯୋଧ୍ୟା ପ୍ରସଙ୍ଗକୁ ନେଇ ସନ୍ଥ ସମ୍ମିଳନୀ ଆୟୋଜିତ ହୋଇଛି | ଡଜନେରୁ ଅଧିକ ବରିଷ୍ଠ ସନ୍ଥ ଏହି ବୈଠକରେ ଯୋଗ ଦେଇ ନିଜନିଜ ମତ ବ୍ୟକ୍ତ କରିଛନ୍ତି | ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ, ଅଯୋଧ୍ୟାଠାରେ ରାମମନ୍ଦିର ନିର୍ମାଣ ହେବ -ଏଥିରେ ଦ୍ବିମତ ନାହିଁ | ତେବେ ରାସ୍ତା କଣ ତାହା ଆଗାମୀ ଦିନରେ ସ୍ଥିର ହେବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.