ଅଯୋଧ୍ୟାରେ ହେବ ଶ୍ରୀ ରାମଲାଲାଙ୍କ ସୂର୍ଯ୍ୟତିଳକ, ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟକିରଣ

Published By : Prameya-News7 Bureau | April 17, 2024 IST

ଅଯୋଧ୍ୟା ୧୭/୦୪: ଆଜି ରାମନବମୀ । ମର୍ଯ୍ୟାଦାପୁରୁଷୋତ୍ତମ ପ୍ରଭୁ ରାମଙ୍କ ଜନ୍ମଦିନ । ସେଥିପାଇଁ ଚଳଚଞ୍ଚଳ ଅଯୋଧ୍ୟା ନଗରୀ । ଖାସ୍ କରି ଏଥର ରାମଲାଲାଙ୍କ ମନ୍ଦିରରେ ଉତ୍ସବ ଖୁବ୍ ଖାସ୍ ହେବାକୁ ଯାଉଛି । କାରଣ ରାମଙ୍କ ନଗରୀରେ ସୂର୍ଯ୍ୟତିଳକ ବେଳେ ଦେଖିବାକୁ ମିଳିବ ଅଭୁତ ଦୃଶ୍ୟ । 

ରାମଲାଲାଙ୍କ ମସ୍ତକରେ ୪ ମିନିଟ ଯାଏଁ ପଡିବ ସୂର୍ଯ୍ୟଙ୍କ କିରଣ । ସାଇନ୍ସ ଫର୍ମୁଲା ଅନୁସାରେ ଏହା କରାଯିବ । ବୈଜ୍ଞାନିକ କହିଛନ୍ତି ପୂର୍ବରୁ ଏହାର ଟ୍ରାଏଲ ବି ସରିଛି । ତେବେ ଆଜି ଏହା କାର୍ଯ୍ୟକାରୀ ହେବ । ଆଉ ଏହି ଦୃଶ୍ୟ ଦେଖିବାକୁ ଭକ୍ତଙ୍କ ଗହଳି ଲାଗିଲାଣି । ଆଜି ଅଯୋଧ୍ୟାନଗରୀରେ ଅବିସ୍ମରଣୀୟ ହେବା ଶ୍ରୀରାମ ଜନ୍ମୋତ୍ସବର ପ୍ରତିଟି ମୁହୁର୍ତ୍ତ । 

ଦିନ ୧୨ଟାରେ ଶ୍ରୀରାମଙ୍କ ଜନ୍ମ ହେବ ଓ ମର୍ଯ୍ୟାଦାପୁରୁଷଙ୍କ ମସ୍ତକରେ ସୂର୍ଯ୍ୟତିଳକ କରାଯିବ । ଯାହାର ସାକ୍ଷୀ ରହିବେ ସାରା ବିଶ୍ୱବାସୀ । ବୈଜ୍ଞାନିକ ଉପାୟରେ ହେବ ସୂର୍ଯ୍ୟତିଳକ । ଜାନୁଆରୀରେ ରାମମନ୍ଦିର ପ୍ରତିଷ୍ଠା ହେବା ପରେ ରାମଲାଲାଙ୍କୁ ଦର୍ଶନ କରିବାକୁ ଲକ୍ଷାଧିକ ଲୋକଙ୍କ ଭିଡ ଜମୁଛି । ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ରାମଲାଲା । 


ରାମନବମୀରେ ସୂର୍ଯ୍ୟକିରଣ ମନ୍ଦିରର ତୃତୀୟ ମହଲାରେ ଲାଗିଥିବା ପ୍ରଥମ ଦର୍ପଣରେ ପଡିବ । ତେବେ ଏହାର ପ୍ରକ୍ରିୟା ବି ସେମିତି ହେବ ସ୍ୱତନ୍ତ୍ର । ପ୍ରଥମେ ସୂର୍ଯ୍ୟକିରଣ ପ୍ରତିଫଳିତ ହୋଇ ପିତ୍ତଳର ପାଇପରେ ପ୍ରବେଶ କରିବ । ପରେ ପିତ୍ତଳ ପାଇପରେ ଲାଗିଥିବା ଦ୍ୱିତୀୟ ଦର୍ପଣରେ ପଡି ୯୦ ଡିଗ୍ରୀରେ ପୁଣି ପ୍ରତିଫଳିତ ହୋଇଯିବ । 

ଏହା ପରେ ପିତ୍ତଳ ପାଇପରେ ଯାଇ ଏହି କିରଣ ୩ଟି ଅଲଗା ଅଲଗା ଲେନ୍ସରେ ଯିବ । ସେହିପରି ଲମ୍ବା ପାଇପରେ ଗର୍ଭଗୃହର ଲାଗିଥିବା ଦର୍ପଣରେ ପଡିବ । ଗର୍ଭଗୃହ ଦର୍ପଣରେ ପଡିବା ପରେ ଏହି କିରଣ ରାମଲାଲାଙ୍କ ମସ୍ତକରେ ୭୫ ମିଲିମିଟରର ଗୋଲାକାର ତିଳକ ଲଗାଇବ । ପ୍ରାୟ ୪ ମିନିଟ ଯାଏଁ ଏହି ପ୍ରକ୍ରିୟା ଚାଲିବ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.