ଇଣ୍ଡିଆ ଓ ଇଣ୍ଡୋନେସିଆ ସମ୍ପର୍କକୁ ନେଇ ଫଟୋ ପ୍ରଦର୍ଶନୀ: ମୁଖ୍ୟ ଆକର୍ଷଣ ବିଜୁବାବୁଙ୍କ ଫଟୋ…
27/02/2020 at 10:20 PM

ନୂଆଦିଲ୍ଲୀ୨୭/୨: ଦିଲ୍ଲୀରେ ଇଣ୍ଡିଆ ଓ ଇଣ୍ଡୋନେସିଆ ସମ୍ପର୍କକୁ ନେଇ ଫଟୋ ପ୍ରଦର୍ଶନୀ । ନେହେରୁ ସ୍ମୃତି ଭବନରେ ଅନୁଷ୍ଠିତ ହୋଇଥିଲା ଏହି ୭୦ତମ ପ୍ରଦର୍ଶନୀ । କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂହପୁରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଯେଉଁଥିରେ ମୁଖ୍ୟ ଆକର୍ଷଣ ସାଜିଛି ବିଜୁବାବୁଙ୍କ ଫଟୋ । ବିଜୁ ପଟ୍ଟନାୟକଙ୍କ ସହ ଇଣ୍ଡୋନେସିଆର ସମ୍ପର୍କ ଉଭୟ ଦେଶ ପାଇଁ ଗୁରୁତ୍ବ ବହନ କରୁଛି। ବିଜୁଙ୍କ ଦୁଃସାହସିକତାର ସର୍ବଶ୍ରେଷ୍ଠ ଉଦାହରଣ ଭାବେ ପଣ୍ଡିତ ନେହରୁଙ୍କ ନିର୍ଦ୍ଦେଶନାରେ ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମରେ ବିଜୁଙ୍କ ବୀରତ୍ୱପୂର୍ଣ୍ଣ ଅଂଶଗ୍ରହଣ କଥା ଉଣା ଅଧିକେ ସମସ୍ତେ ଜାଣନ୍ତି।
ସେ ଡଚ୍ ସେନାବାହିନୀ ଆଖିରେ ଧୂଳିଦେଇ ଡକ୍ଟର ସାହରିୟର ଓ ଡକ୍ଟର ହଟ୍ଟାଙ୍କ ଭଳି ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମର ନେତାମାନଙ୍କୁ ନୂଆଦିଲ୍ଲୀରେ ଆଣି ପହଞ୍ଚାଇଥିଲେ। ଏହି ଅସାଧାରଣ କୃତିତ୍ୱ ଓ ବୀରତ୍ୱ ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ସେ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦର୍ଶନ ପୂର୍ବକ ‘ଭୂମିପୁତ୍ର’ ଉପାଧି ପ୍ରଦାନ କରିଥିଲେ। ଏହି ଅବସରରେ ଏହି କାର୍ଯ୍ୟକ୍ରମରେ ବିଜୁବାବୁଙ୍କ ପୁଅ ପ୍ରେମ ପଟ୍ଟନାୟକ, ନାତି ଅରୁଣ ପଟ୍ଟନାୟକ ଏବଂ ବିଜେପି ସାଂସଦ ପିନାକୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ.