ଏହି ଅଭିନେତ୍ରୀଙ୍କ ପସନ୍ଦ ମହିଳା କୈନ୍ଦ୍ରିକ ଫିଲ୍ମ, କହିଲେ ଭୂମିକା ଗୁରୁତ୍ୱପୂର୍ଣ୍ଣ ନଥିଲେ କରେନି କାମ

Published By : Prameya-News7 Bureau | November 07, 2022 IST

ମୁମ୍ୱାଇ ୦୭/୧୧: ଗତମାସ ୧୪ ତାରିଖରେ ଅଭିନେତ୍ରୀ ରକୁଲପ୍ରୀତ ସିଂହଙ୍କ ‘ଡକ୍ଟର ଜୀ’ ପ୍ରେକ୍ଷାଳୟକୁ ଆସିଥିଲା । ସେଥିରେ ଡାକ୍ତରୀ ଛାତ୍ରୀ ଭାବେ ତାଙ୍କର ଅଭିନୟକୁ ଦର୍ଶକମାନେ ବେଶ୍‌ ପ୍ରଶଂସା କରିଥିଲେ । ବକ୍ସ ଅଫିସ୍‌ରେ ଫିଲ୍ମଟି ଖୁବ୍‌ ଭଲ ବ୍ୟବସାୟ ବି କରିଥିଲା । ଏହାପରେ ୨୫ ତାରିଖରେ ତାଙ୍କ ଅଭିନୀତ ଆଉ ଏକ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ ମୁକ୍ତିଲାଭ କରିଥିଲା । ତାହା ମଧ୍ୟ ବେଶ୍‌ ଦର୍ଶକୀୟ ଆଦୃତି ପାଇଛି ।

ଏହିି ପରିପ୍ରେକ୍ଷୀରେ ଏକ ସାକ୍ଷାତକାରରେ ରାକୁଲ ତାଙ୍କର ଭବିଷ୍ୟତର ଯୋଜନା ସଂପର୍କରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଫିଲ୍ମ ଚୟନ ସମୟରେ ମୁଁ ସବୁବେଳେ ଅତି ସତର୍କ ରହିଥାଏ । ପ୍ରତ୍ୟେକ ଫିଲ୍ମ ଯେପରି ପରସ୍ପରଠାରୁ କିଛି ପରିମାଣରେ ଅଲଗା ହେବ ସେଥିପ୍ରତି ଦୃଷ୍ଟି ଦିଏ । ମୁଁ ରୋମାନ୍ସଠାରୁ ଆରମ୍ଭ କରି ହାସ୍ୟରସାତ୍ମକ, ଥ୍ରିଲର, ଆକ୍ସନ୍‌ ଭଳି ସମସ୍ତ ପ୍ରକାର ଫିଲ୍ମରେ କାମ କରିବାକୁ ଚାହେଁ ।

ତେବେ ସେନା ପରିବାରରେ ଜନ୍ମ ହୋଇଥିବାରୁ ପ୍ରତ୍ୟେକ ପ୍ରସଙ୍ଗରେ ମୋର ଏକ ସ୍ୱତନ୍ତ୍ର ମତ ରହିଛି । ତେଣୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନ ମିଳିଲେ କୌଣସି ଫିଲ୍ମ ଯେତେ ଚର୍ଚ୍ଚିତ ହୋଇଥିଲେ ବି ମୁଁ ସେଥିରେ କାମ କରିବି ନାହିଁ । ଫିଲ୍ମ ହେଉଛି ସାଧାରଣ ଜନତାଙ୍କ ସହିତ ସଂପର୍କ ସ୍ଥାପନ କରିବାର ଏକ ମାଧ୍ୟମ । ଯେଉଁଥିରେ ସାମାଜିକ ସଚେତନତାର ବାର୍ତ୍ତା ଥିବ ସେଭଳି ଫିଲ୍ମ ମୋ’ ପାଇଁ ପସନ୍ଦର ତାଲିକାରେ ସବୁଠୁ ଉପରେ ରହିବ ବୋଲି ରକୁଲ ପ୍ରକାଶ କରିଛନ୍ତି । ଅନ୍ୟପଟେ ମହିଳା କୈନ୍ଦ୍ରିକ ଫିଲ୍ମ ବି ତାଙ୍କର ପସନ୍ଦ ବୋଲି ସେ ଦର୍ଶାଇଛନ୍ତି । ସୂଚନାଥାଉକି, ‘ଥ୍ୟାଙ୍କ୍‌ ଗଡ୍‌’ ହେଉଛି ରକୁଲଙ୍କର ଚଳିତବର୍ଷର ଶେଷ ଫିଲ୍ମ । ଆସନ୍ତାବର୍ଷ ତାଙ୍କୁ ‘ଛତ୍ରୀୱାଲି’, ‘ମେରି ପତ୍ନୀ କା ରିମେକ୍‌’ରେ ଦେଖିବାକୁ ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.