ବଲିଉଡ ଡ୍ରଗ୍ସ ମାମଲା; ଏନସିବି ସମନର ଉତ୍ତର ଦେଲେ ନାହିଁ ଅଭିନେତ୍ରୀ ରକୁଲ ପ୍ରୀତ
24/09/2020 at 12:05 PM

ନୂଆଦିଲ୍ଲୀ ୨୪/୦୯: ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ଉପରେ ତଦନ୍ତ କରୁଥିବା ଏନସିବି ଗତକାଲି ଅଭିନେତ୍ରୀ ଦୀପିକା ପାଦୁକୋନ, ଶ୍ରଦ୍ଧା କପୁର, ସାରା ଅଲୀ ଖାନ ଓ ରକୁଲ ପ୍ରୀତ ସିଂହଙ୍କ ସମେତ ୭ ଜଣଙ୍କୁ ପଚରାଉଚରା ପାଇଁ ସମନ କରିଛି। ଏ ସମସ୍ତଙ୍କୁ ଏନିସିବି ଭିନ୍ନ ଭିନ୍ନ ଦିନରେ ଜେରା ପାଇଁ ଡାକିବ। ଆଜି ରକୁଲଙ୍କୁ ଆସିବାର ଥିଲା ମାତ୍ର ଏବେ ସୁଦ୍ଧା ଏନସିବି ଦପ୍ତରରେ ସେ ପହଞ୍ଚି ନାହାନ୍ତି। ଏନସିବି କହିଛି ଗତକାଲି ତାଙ୍କୁ ସମନ କରାଯାଇଥିଲା। ତାଙ୍କ ସହ ଯୋଗାଯୋଗ କରିବା ପାଇଁ ବିଭିନ୍ନ ପ୍ଲାଟଫର୍ମରେ ଚେଷ୍ଟା ଚାଲିଥିଲେ ବି ତାଙ୍କ ତରଫରୁ କିଛି ଉତ୍ତର ମିଳି ନାହିଁ।
ଗତକାଲି ଏନସିବି ସମନ ଜାରି କରି ଆଜି ରକୁଲ ପ୍ରୀତ ସିଂହ, ସୁଶାନ୍ତଙ୍କ ଟାଲେଣ୍ଟ ମ୍ୟାନେଜର ଶ୍ରୁତି ମୋଦି ଓ ଡିଜାଇନର ସିମୋନ ଖମ୍ବାଟାଙ୍କୁ ଡାକିଥିଲା। କେବଳ ଏନସିବି ଦପ୍ତରରେ ସିମୋନ ପହଞ୍ଚିଛନ୍ତି ଓ ତାଙ୍କ ଜେରା ଚାଲିଛି।
ଏନସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଦୀପିକା ପାଦୁକୋନଙ୍କୁ ସେପ୍ଯେମ୍ବର ୨୫ରେ ଆସିବାକୁ କୁହାଯାଇଛି। ସାରା ଓ ଶ୍ରଦ୍ଧାଙ୍କୁ ସେପ୍ଟେମ୍ବର ୨୬ରେ ଜେରା କରାଯିବ। ମାମଲାରେ ଟାଲେଣ୍ଟ ମ୍ୟାନେଜର ଜୟା ଶାହ ମଧ୍ୟ ଗୁରୁତ୍ବପୂଣ୍ର୍ଣ ତଥ୍ୟ ଦେଇଛନ୍ତି। ସୁଶାନ୍ତ ମୃତ୍ୟୁ ମାମଲାରେ ଏନସିବି ତଦନ୍ତରେ ବଲିଉଡର ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିବା ସହ ବଡ଼ ବଡ଼ ସେଲିବ୍ରିଟିଙ୍କ ନାଁ ମଧ୍ୟ ସାମିଲ ଥିବା ଧୀରେ ଧୀରେ ଜଣାପଡୁଛି।
ପୂର୍ବରୁ ଏ ମାମଲାର ତଦନ୍ତରେ ଏନସିବି ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି। ୧୫ ଦିନ ହେବ ସେ ଭାୟଖଲା ଜେଲରେ ଅଛନ୍ତି। ମୁମ୍ବାଇର ଏକ ବିଶେଷ ଅଦାଲତ ତାଙ୍କ ବିଚାର ବିଭାଗୀୟ ହେପାଜତକୁ ଅକ୍ଟୋବର ୬ତାରିଖକୁ ବଢ଼ାଇ ଦିଆଯାଇଛି।