କେବଳ ରକ୍ଷା ବନ୍ଧନ ନୁହେଁ ଜନ୍ମାଷ୍ଟମୀ ଓ ଗଣେଶ ଚତୁର୍ଥୀକୁ ନେଇ ମଧ୍ୟ ରହିଛି କନଫ୍ୟୁଜନ, ଜାଣନ୍ତୁ ଏଠାରେ ତିଥି
30/08/2023 at 8:57 PM

ନୂଆଦିଲ୍ଲୀ ୩୦।୮: ଭାରତ ଏକ ଉତ୍ସବର ଦେଶ, ବାରମାସରେ ତେର ପରବ ଲାଗି ରହିଥାଏ। ଆମ ଦେଶରେ ଅନେକ ପବିତ୍ର ପର୍ବ ପାଳିତ ହୋଇଥାଏ। ପ୍ରତିବର୍ଷ ଶ୍ରାବଣ ମାସରୁ ଉତ୍ସବର ଋତୁ ଆରମ୍ଭ ହୁଏ। ଚଳିତବର୍ଷ ମଧ୍ୟ ପାର୍ବଣର ଆଗମନ ହୋଇଛି। ତେବେ ଏକ ସଙ୍ଗରେ ଅନେକ ସଂଯୋଗ ହେଉଥିବାରୁ ଲୋକଙ୍କ ମଧ୍ୟରେ ପର୍ବ ପାଳନ ତାରିଖ ଓ ତିଥିକୁ ନେଇ ସନ୍ଦେହ ଉପୁଜିଛି। ଲୋକଙ୍କ ମନେର ରକ୍ଷାବନ୍ଧନ,ଜନ୍ମାଷ୍ଟମୀ ଓ ଗଣେଶ ଚତୁର୍ଥୀକୁ ନେଇ ଆଶଙ୍କା ରହିଛି। ତେବେ ଆସନ୍ତୁ ଜାଣିବା ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହି ସବୁ ଗୁରୁତ୍ୱପୂର୍ଣ୍ଣ ଉତ୍ସବର ଶୁଭ ମୂହୁର୍ତ୍ତ।

ରକ୍ଷା ବନ୍ଧାନ କେବେ?
ପ୍ରତିବର୍ଷ ରାକ୍ଷୀ ଶ୍ରାବଣ ପୂର୍ଣ୍ଣିମା ଦିନ ପାଳିତ ହୋଇଥାଏ। ତେବେ ଚଳିତବର୍ଷ ରକ୍ଷାବନ୍ଧନ ଦିନ ଭଦ୍ରାକଳ ରହୁଥିବାରୁ ଏପର୍ଯ୍ୟନ୍ତ ରାକ୍ଷୀକୁ ନେଇ କନ୍ଫ୍ୟୁଜନ ଦୂର ହୋଇ ନାହିଁ। ତେବେ ଚଳିତବର୍ଷ ପୂର୍ଣ୍ଣିମା ୩୦ ଅଗଷ୍ଟ ପୂର୍ବାହ୍ନ ୧୦ଟା ୫୯ ମିନିଟ୍ରୁ ଆରମ୍ଭ ହୋଇ ୩୧ ଅଗଷ୍ଟ ପୂର୍ବାହ୍ନ ୭ଟା ବାଜି ୫ ମିନିଟ୍ରେ ସମାପ୍ତ ହେଉଛି । ତେବେ ଚଳିତବର୍ଷ ଭଦ୍ରା କାଳ ଅଗଷ୍ଟ ୩୦ ତାରିଖ ପୂର୍ଣ୍ଣିମା ତିଥି ସାଙ୍ଗେ ଆରମ୍ଭ ହେଉଛି। ଯାହା ପୁରା ୧୦ ଘଣ୍ଟା ପରେ ଅର୍ଥାତ ୩୦ ଅଗଷ୍ଟ ରାତ୍ରି ୯ଟା ବାଜି ୨ ମିନିଟ୍ରେ ସମାପ୍ତ ହେବ। ଏଣୁ ରାତି ୯ଟା ୨ ମିନିଟ୍ ପରଠାରୁ ଭଉଣୀମାନେ ଭାଈଙ୍କ ହାତରେ ରାକ୍ଷୀ ବାନ୍ଧି ପାରିବେ। ଯାହା ଶୁକ୍ରବାର ୭ଟା ୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ।

କୃଷ୍ଣ ଜନ୍ମାଷ୍ଟମୀ କେବେ?
କୃଷ୍ଣ ଜନ୍ମାଷ୍ଟମୀ ଭାରତୀୟ ସଂସ୍କୃତିରେ ଏକ ମହାନ ପର୍ବ । ଏହି ଦିନ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର ଶ୍ରୀକୃଷ୍ଣଙ୍କର ଜନ୍ମ ହୋଇଥିଲା। କୁହାଯାଏ ଏହି ଦିନ ସ୍ୱୟଂ ଭଗବାନ କୃଷ୍ଣ ପୃଥିବୀର ରହନ୍ତି। ଏହି ଦିନ ଯେଉଁ ବ୍ୟକ୍ତି ବିଧିବିଧାନ ସହ ନନ୍ଦ ଲାଲାଙ୍କ ପୂଜାର୍ଚ୍ଚନ କରେ ଭଗବାନ କୃଷ୍ଣ ତାଙ୍କର ମନୋରଥ ପୂରଣ କରନ୍ତି। ଚଳିତବର୍ଷ ଜନ୍ମାଷ୍ଟମୀ ତାରିଖକୁ ନେଇ ଲୋକେ ଦୋଦୁଲ୍ୟମାନସ୍ଥିତିରେ ଅଛନ୍ତି। ପଞ୍ଚାଙ୍ଗ ଅନୁସାରେ ଚଳିତବର୍ଷ ଭାଦ୍ରବମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ସେପ୍ଟେମ୍ବର ୬ ତାରିଖ ମଧ୍ୟାହ୍ନ ୩ଟା ୩୭ ମିନିଟ୍ରୁ ଆରମ୍ଭ ହୋଇ ୭ ସେପ୍ଟେମ୍ବର ଅପରାହ୍ନ ୪ଟା ୧୪ ମିନିଟ୍ରେ ସମାପ୍ତ ହେଉଛି।
ଏଣୁ ସ୍ମାର୍ତ୍ତ ଅର୍ଥାତ ଗୃହସ୍ଥମାନେ ୬ ସେପ୍ଟେମ୍ବର ଜନ୍ମାଷ୍ଟମୀ ପାଳନ କରିବାକୁ ଥିବା ବେଳେ ବୈଷ୍ଣବ ଓ ଇସ୍କନ ସହ ସମ୍ପୃକ୍ତ ଲୋକେ ୭ ସେପ୍ଟେମ୍ବରରେ ଜନ୍ମାଷ୍ଟମୀ ପାଳନ କରିବେ। କୁହାଯାଏ ଶ୍ରୀକୃଷ୍ଣ ମଧ୍ୟରାତ୍ରରେ ଜନ୍ମ ହୋଇଥିଲେ ଏଣୁ ଗୃହସ୍ଥମାନେ ୬ ସେପ୍ଟେମ୍ବର ମଧ୍ୟରାତ୍ରରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରିବେ।

ଗଣେଶ ଚତୁର୍ଥୀ କେବେ?
ଗଣେଶ ଚତୁର୍ଥୀକୁ ସାରା ଦେଶରେ ଧୂମ ଧାମରେ ପାଳନ କରାଯାଏ। ବିଶେଷ କରି ମହାରାଷ୍ଟ୍ରରେ ଗଣେଶ ଉତ୍ସବ ଧୂମଧାମରେ ପାଳିତ ହୋଇଥାଏ। ପ୍ରତିବର୍ଷ ଗଣେଶୋତ୍ସବ ମହାପର୍ବର ଶୁଭାରମ୍ଭ ଭାଦ୍ରବ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ହୋଇଥାଏ। ଅନନ୍ତ ଚତୁର୍ଦ୍ଦଶୀ ଦିନ ଗଣେଶ ଉତ୍ସବର ଉଦଯାପନ ହୋଇଥାଏ। ପଞ୍ଚାଙ୍ଗ ଅନୁସାରେ ଚଳିତବର୍ଷ ଭାଦ୍ରବ ଶୁକ୍ଳପକ୍ଷ ଚତୁର୍ଥୀ ୧୮ ସେପ୍ଟେମ୍ବର ମଧ୍ୟାହ୍ନ ୨ଟା ୯ ମିନିଟ୍ରୁ ଆରମ୍ଭ ହୋଇ ୧୯ ସେପ୍ଟେମ୍ବର ଅପରାହ୍ନ୩ଟା ୧୩ ମିନିଟ୍ରେ ସମାପ୍ତ ହେବ। ଏଣୁ ସନାତନ ଧର୍ମକୁ ବୁଝୁଥିବା ଲୋକେ ଗଣେଶ ଚତୁର୍ଥୀ ୧୯ ସେପ୍ଟେମ୍ବରରେ ପାଳନ କରିବେ। ୨୦୨୩ ଗଣେଶ ଚତୁର୍ଥୀ ବହୁତ ଶୁଭ ଯୋଗରେ ପଡୁଛି। ଗଣେଶ ଚତୁର୍ଥୀ ସହ ରବିଯୋଗ ସାଙ୍ଗକୁ ଶ୍ୱାତୀ ନକ୍ଷେତ୍ର ନିର୍ମାଣ ହେଉଛି। ଏଣୁ ଗଣେଶଙ୍କ ପୂଜା ବିଶେଷ ଫଳଦାୟୀ ହେବ।