ନୂଆଦିଲ୍ଲୀ, ୨୯।୦୭: ଦେଶରେ ଏବେ ବି କରୋନାର ସ୍ଥିତି ସୁଧୁରିନାହିଁ । ଫଳରେ ଏୟାରଲାଇନ୍ସ କ୍ଷେତ୍ରରେ ବଡ଼ ପ୍ରଭାବ ପଡ଼ିଛି । ଏହାରି ମଧ୍ୟରେ ଷ୍ଟକ୍ ମାର୍କେଟ୍ର ଲୋକପ୍ରିୟ ପୁଞ୍ଜିନିବେଶକାରୀ ତଥା ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ରାକେଶ ଝୁନଝୁନୱାଲା ଏକ ନୂଆ କମ୍ପାନୀ ଆରମ୍ଭ କରିବା ଦିଗରେ ଅଗ୍ରସର ହେଉଥିବା ଜଣା ପଡ଼ିଛି । ନୂଆ କରି ଦେଶରେ ଲୋକଙ୍କୁ ସବୁଠାରୁ ଶସ୍ତା ବିମାନ ସେବା ଯୋଗାଇ ଦେବା ପାଇଁ ସେ ଆକାଶ ଏୟାରଲାଇନ୍ସ କମ୍ପାନୀ ଗଢ଼ିବେ । କମ୍ପାନୀରେ ଏୟାରଲାଇନ୍ସ କ୍ଷେତ୍ରର ଦୁଇ ହସ୍ତୀ କୁହାଯାଉଥିବା ଇଣ୍ଡିଗୋ ଏୟାର୍ଲାଇନ୍ସର ପୂର୍ବତନ ଅଧ୍ୟକ୍ଷ ଆଦିତ୍ୟ ଘୋଷ ଏବଂ ଜେଟ୍ ଏୟାରୱେଜ୍ର ସିଇଓ ବିନୟ ଦୁବେ ମଧ୍ୟ ଯୋଗ ଦେବା ନେଇ ଜଣାପଡ଼ିଛି ।
ଆଗାମୀ ୪ ବର୍ଷ ମଧ୍ୟରେ ୭୦ ଟି ବିମାନ କିଣିବା ସହିତ ଲୋକମାନଙ୍କୁ ଶସ୍ତାରେ ବିମାନ ସେବା ଯୋଗାଇ ଦେବାକୁ ଯୋଜନା କରୁଛନ୍ତି ୬୧ ବର୍ଷୀୟ ଝୁନଝୁନୱାଲା। ସେ ବିମାନ ସେବା କ୍ଷେତ୍ରରେ ୩.୫ କୋଟି ଡଲାର ପୁଞ୍ଜିନିବେଶ କରିବେ। ତାଙ୍କ ପାଖରେ କମ୍ପାନୀର ୪୦ ପ୍ରତିଶତ ଅଂଶଧନ ରହିବ। ଆଗାମୀ ଦିନରେ ବିମାନଯାତ୍ରା ଚାହିଦା ବୃଦ୍ଧି ହେବ ବୋଲି ଆକଳନ କରି ଏ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାକୁ ଆଗେଇ ଆସିଛନ୍ତି ରାକେଶ। ଏଥିପାଇଁ ଆଗାମୀ ୧୫ ଦିନ ଭିତରେ ରାକେଶଙ୍କୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନୋ ଅବ୍ଜେକ୍ସନ ସାର୍ଟିଫିକେଟ୍ ମିଳିଯିବ ବୋଲି ସେ ଆଶା କରିଛନ୍ତି। ତାଙ୍କ ଟିମ୍ରେ ଡେଲ୍ଟା ଏୟାର ଲାଇନ୍ସର ଜଣେ ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀ ମଧ୍ୟ ସାମିଲ ହୋଇଥିବା ଜଣାପଡ଼ିଛି । ବିମାନ କମ୍ପାନୀ ପାଇଁ ୧୮୦ ଯାତ୍ରୀ କ୍ଷମତା ଥିବା ବିମାନ କିଣାଯିବ ବୋଲି ସୂଚନା ମିଳିଛି।