ଶ୍ରୀମନ୍ଦିରରେ ଶୁକ୍ରବାର ଗହ୍ମାପୂର୍ଣ୍ଣିମା, ବଳଭଦ୍ରଙ୍କ ଜନ୍ମୋତ୍ସବ ସହ ସ୍ୱତନ୍ତ୍ର ନୀତିକାନ୍ତି

Published By : Prameya-News7 Bureau | August 12, 2022 IST

ପୁରୀ ୧୨/୦୮: ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଇଥାଏ। ଏହି ପବିତ୍ର ଜନ୍ମୋତ୍ସବ ବିଧି ବିଧାନର ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଭୋଗମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ । ଶ୍ରୀବିଗ୍ରହମାନଙ୍କୁ ତିନିଗୋଟି ଆଜ୍ଞାମାଳ, ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି କରାଯାଏ।

ବଳଭଦ୍ରଙ୍କ ସମ୍ମୁଖରେ କଳସ ସ୍ଥାପନ କରାଯାଇ ଷଷ୍ଠିଦେବୀଙ୍କୁ ରଖାଯାଇ ପୂଜାବିଧି ତୀଥି, ରାଶି, ନକ୍ଷେତ୍ର ଅନୁଯାୟୀ ହୋଇଥାଏ । ବିମାନବଡୁ ସେବକ ମାନେ ସୁଦର୍ଶନଙ୍କୁ ଚଉଦୋଳରେ ନେଇ ମାର୍କଣ୍ଡେୟ ପୁଷ୍କରିଣୀକୁ ଯାଇଥାନ୍ତି ଓ ସେଠାରେ ଥିବା ଚକଡ଼ା ଉପରେ ବିଜେ କରିଥାନ୍ତି । ଚକଡ଼ା ଉପରେ ଥିବା ଗୋଲ ଚକା ଉପରେ କୁମ୍ଭାର ବିଶୋଇ ଦେଇଥିବା ଚିକିଟା ମାଟିରେ ସୁଦୁସୁଆର ସେବକମାନେ ବଳଭଦ୍ରଙ୍କ ମୂର୍ତ୍ତି ନିର୍ମାଣ କରିଥାନ୍ତି ।

ମୁଦିରସ୍ତ ପ୍ରସାଦ ଲାଗି ଓ ପୂଜାପଣ୍ଡା ପଞ୍ଚଉପଚାରରେ ଶୀତଳ ଭୋଗ ମଣୋହି କରିଥାନ୍ତି । ଏହାପରେ ପୂଜାପଣ୍ଡା ସାମନ୍ତ ମାଟି ମୂର୍ତ୍ତିଙ୍କ ଜୀବନ୍ୟାସ ମନ୍ତ୍ରପାଠ ଓ ଜାତକର୍ମ ନୀତି ସଂପନ୍ନ ହେବା ପରେ ମୂର୍ତ୍ତିଙ୍କୁ ମାର୍କଣ୍ଡେୟ ପୁଷ୍କରିଣୀରେ ବିସର୍ଜନ କରିଥାନ୍ତି। ବଳଭଦ୍ରଙ୍କ ଜନ୍ମ ନୀତି ସମ୍ପନ୍ନ ପରେ ଚକ୍ରରାଜ ସୁଦର୍ଶନ ଚାରିଆଶ୍ରମ ପରିକ୍ରମା କରି ଶ୍ରୀମନ୍ଦିର ବାହୁଡା ବିଜେ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.