ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ପାଳିତ, କାଳିଆ ଓ ବଳିଆଙ୍କୁ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା
31/08/2023 at 8:42 AM

ପୁରୀ ୩୧/୦୮: ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମାପୂର୍ଣ୍ଣିମା । ଆଜି ଶ୍ରୀମନ୍ଦିରରେ ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ଜନ୍ମୋତ୍ସବ ପାଳନ କରାଯାଉଛି। ଏଥିସହ ରଙ୍ଗବେରଙ୍ଗ ବାସୁଙ୍ଗା ପାଟରେ ପାଟରା ବିଷୋୟୀ ସେବାୟତ ପ୍ରସ୍ତୁତ କରିଥିବା ଚାରୋଟି ବୃହତ୍ତକାୟ ରାକ୍ଷୀ ସହ ଗୁଆମାଳ ଦୁଇ ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁଇ ହସ୍ତରେ ଭଉଣୀ ସୁଭଦ୍ରା ବାନ୍ଧିବେ ।
ତେବେ ପ୍ରଭୁ ବଳଭଦ୍ରଙ୍କ ଏହି ପବିତ୍ର ଜନ୍ମୋତ୍ସବ ପରମ୍ପରା ସହ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ଭୋଗମଣ୍ଡପ ବଢିବା ପରେ ଶ୍ରୀଜୀଉମାନଙ୍କର ମଇଲମ ହୋଇ ମହାସ୍ନାନ ବଢିଥାଏ। ଶ୍ରୀବିଗ୍ରହମାନଙ୍କୁ ତିନିଗୋଟି ଆଜ୍ଞାମାଳ, ଚାରିଖଣ୍ଡ ପାଟ ରାକ୍ଷୀ ଓ ଗୁଆର ମାଳି ଲାଗି କରାଯାଏ। ବଳଭଦ୍ରଙ୍କ ସମ୍ମୁଖରେ କଳସ ସ୍ଥାପନ କରାଯାଇ ଷଷ୍ଠିଦେବୀଙ୍କୁ ରଖାଯାଇ ପୂଜାବିଧି ତୀଥି, ରାଶି, ନକ୍ଷେତ୍ର ଅନୁଯାୟୀ ହୋଇଥାଏ।