ରାଜ୍ୟସଭା ସାଂସଦ ଅଭୟ ଭରଦ୍ବାଜଙ୍କ ପରଲୋକ, ଗଭୀର ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦୀ
1/12/2020 at 9:45 PM

ନୂଆଦିଲ୍ଲୀ ୦୧/୧୨ : ଗୁଜରାଟରୁ ରାଜ୍ୟସଭା ସାଂସଦ ଥିବା ଅଭୟ ଭରଦ୍ବାଜଙ୍କ ମଙ୍ଗଳବାର ପରଲୋକ ଘଟିଛି । ଚେନ୍ନାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଅଭୟ ଭରଦ୍ୱାଜଙ୍କୁ କୋଭିଡ ପରବର୍ତ୍ତୀ ନିମୋନିଆ ପାଇଁ MGM ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଅଭୟ ଭରଦ୍ୱାଜଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ରେ କହିଛନ୍ତି, “ଗୁଜରାଟର ରାଜ୍ୟସଭା ସାଂସଦ ଶ୍ରୀ ଅଭୟ ଭରଦ୍ୱାଜ ଜୀ ଜଣେ ବିଶିଷ୍ଟ ଆଇନଜୀବୀ ଥିଲେ ଏବଂ ସମାଜ ସେବା କରିବାରେ ସର୍ବଦା ଆଗରେ ରହିଥିଲେ । ଦୁଃଖର ବିଷୟ ଯେ ଆମେ ଜଣେ ବିଶିଷ୍ଟ ବ୍ୟକ୍ତିତ୍ବଙ୍କୁ ହରାଇଲୁ । ତାଙ୍କ ପରିବାର ଏବଂ ପରିଜନଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି। “
ଅଭୟ ଭରଦ୍ୱାଜ ଜଣେ ବିଶିଷ୍ଟ ଓକିଲ ଥିଲେ ଏବଂ ଚଳିତ ବର୍ଷ ଜୁନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଗତ ଅଗଷ୍ଟ ମାସରେ ସେ ରାଜକୋଟରେ ଏକ ରୋଡ୍ ସୋରେ ଯୋଗଦେବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ତାଙ୍କୁ ପ୍ରଥମେ ରାଜକୋଟରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ କୃତ୍ରିମ ଫୁସଫୁସ ସହାୟତାରେ ତାଙ୍କର ଚିକିତ୍ସା ଚାଲିଥିଲା । ପରେ ଡାକ୍ତରଙ୍କ ଏକ ଟିମ୍ ରାଜକୋଟ ଯାଇଥିଲେ । ତେବେ ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ମଧ୍ୟ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନଥିଲା ।