ଓଡିଶାରେ କାହା ପାଖରେ ଅଛି ସଂଖ୍ୟା – ରାଜ୍ୟସଭା ନିର୍ବାଚନ ନେଇ ବାଜିଲା ବିଗୁଲ
25/02/2020 at 10:19 PM

ଭୁବନେଶ୍ୱର ୨୫।୦୨- ଅପେକ୍ଷାର ଅନ୍ତ ଘଟିଲା । ରାଜ୍ୟସଭାନିର୍ବାଚନ ନେଇ ବାଜିଲା ବିଗୁଲ। ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ୪ଟି ଆସନ ପାଇଁ ହେବ ନିର୍ବାଚନ । ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ତିନି ଦଳ ଭିତରେ ଆରମ୍ଭ ହୋଇଗଲାଣି ଅଙ୍କ କଷା। ଜିତିବା ପାଇଁ ସଂଖ୍ୟା ନଥିଲେ ମଧ୍ୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଦେବା ପାଇଁ ଅଙ୍କ କଷିଲେଣି। ଏପଟେ ୪ଟି ଆସନ ନିଜ ଅକ୍ତିଆରରେ ରଖିବା ପାଇଁ ବିଜେଡି ସକ୍ଷମ ହୋଇଥିବାରୁ ଏବେ ପାଟି ଭିତରେ ରାଜ୍ୟସଭା ଯିବା ପାଇଁ ଆଶାୟୀ ପ୍ରାର୍ଥୀଙ୍କ ଲବି ଜୋର ହେଲାଣି।

ରାଜ୍ୟସଭା ନିର୍ବାଚନ ବିଗୁଲ ବାଜିଲା। ଆସନ୍ତା ମାର୍ଚ୍ଚ ୨୬ ତାରିଖରେ ହେବ ନିର୍ବାଚନ। ଓଡିଶାର ୪ଟି ରାଜ୍ୟସଭା ଆସନ ନେଇ ହେବ ନିର୍ବାଚନ । ଏନେଇ ଆଜି ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ମାର୍ଚ୍ଚ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୧୩ ତାରିଖ ହେଉଛି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ।୧୬ ତାରିଖ ନାମଙ୍କନ ପତ୍ର ଯାଞ୍ଚ ହେବ ।

ମାର୍ଚ୍ଚ ୧୮ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର, ୨୬ ତାରିଖରେ ନିର୍ବାଚନ ଏବଂ ସେହିଦିନ ଅପରାହ୍ନ ୫ଟା ପରେ ଭୋଟ ଗଣତି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ନିର୍ବାଚନ କମିଶନ। ରାଜ୍ୟ ସଭାନେଇ ତାରିଖ ଘୋଷଣା ପରେ ଚଳଚଞ୍ଚଳ ହୋଇଉଠିଛନ୍ତି ରାଜ୍ୟର ତିନି ରାଜନୈତିକ ଦଳ ।

ବିଜେପିର ବିଧାନସଭାରେ ୨୩ ସଂଖ୍ୟା ଥିଲେ ବି ପ୍ରାର୍ଥୀ ଦେବାକୁ ଘୋଷଣା କରିଛି । ଏପଟେ କଂଗ୍ରେସ ବି ଏହି ରେସରୁ ବାଦ ପଡିନି । ସଂଖ୍ୟା ଖେଳରେ ପଛରେ ପଡିଥିଲେ ବି ବାମ ଦଳ ସହ ହାତ ମିଳାଇ ପ୍ରର୍ଥୀ ଦେବାକୁ ମନ ବଳାଇଛି । ବିଜେପି ଚାହିଁଲେ ବିଜେଡି ଉପରେ ଚାପ ପକାଇ ଦୁଇଟି ଆସନ ନେଇ ପାରିବ ବୋଲି କହି ବିଜେଡି ଓ ବିଜେପିକୁ ବିବାଦ ଘେରକୁ ଟାଣିଛନ୍ତି ନରସିଂହ ।

ଏପଟେ ବିଜେଡି ଭିତରେ ଆରମ୍ଭ ହୋଇଗଲାଣି ଜୋରଦାର ଲବି। ବିଧାନସଭାରେ ସଂଖ୍ୟା ଦେଖିଲେ ବିଜେଡି ୪ଟି ଯାକ ଆସନରେ ହାତେଇବାରେ ସକ୍ଷମ । ତେଣୁ ବିଜେଡି ତାର ୪ରୁ ୪ ନେତାଙ୍କୁ ପଠାଇବାକୁ ପାର୍ଟି ଭିତରେ ଦାବି ଉଠିଲାଣି । କିନ୍ତୁ ପାର୍ଟି ଭିତରୁ ତିନିଜଣ ଆଉ ଜଣେ ବାହାରୁ ଯିବେ ରାଜ୍ୟସଭା ଏମିତି କିଛି ଚର୍ଚ୍ଚା ହେଉଛି ।

ତା ଭିତରେ ଜଣେ ଓବିସି ମହିଳାଙ୍କୁ ରାଜ୍ୟସଭା ପଠାଇବାକୁ ଯୋଜନା କରିଛି ବଜେଡି । ସଞ୍ଜୟ ଦାସ ବର୍ମା, କଳିକେଶ ସିଂହ ଦେଓ, ପ୍ରସନ୍ନ ପାଟ୍ଟଶଣୀ ଏବଂ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ବି ଲାଇନରେ ଅଛନ୍ତି। ଏପଟେ ଦିଲ୍ଲୀପ ରୀୟଙ୍କୁ ନେଇ ମଧ୍ୟ ଜୋର ଦାର ଚର୍ଚ୍ଚା ହେଉଛି । ରାଜ୍ୟସଭା ସଦସ୍ୟ ରଞ୍ଜୀବ ବିଶ୍ବାଳଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। କୁଆଡେ ସେ ବି ଆଉ ଥରେ ରାଜ୍ୟସଭା ଯିବା ପାଇଁ ବିଜେପି କାନି ଧରିଛନ୍ତି ବୋଲି ଆଲୋଚନା ଜୋର ଧରିଛି । କିନ୍ତୁ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି ରାଜ୍ୟସ୍ବାର୍ଥ ଯାହା ଦରକାର କରାଯିବ।
ଏପ୍ରିଲ ୪ତାରିଖରେ ଅନୁଭବ ମହାନ୍ତି, ନରେନ୍ଦ୍ର ସ୍ବାଇଁ, ସରୋଜିନ ହେମ୍ରମ, ରଞ୍ଜୀବ ବିଶ୍ବାଳ କାର୍ଯ୍ୟକାଳ ଶେଷ ହେଉଛି। ୩୦ ମାର୍ଚ୍ଚ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।