ବିରୋଧୀ ସାଂସଦଙ୍କ ବେଞ୍ଚରେ ନୋଟ୍‌ ବଣ୍ଡଲ୍; ସଭାପତି କହିଲେ ଗମ୍ଭୀର ମାମଲା, ଚାଲିଛି ଯାଞ୍ଚ

Published By : Prameya-News7 Bureau | December 06, 2024 IST

ନୂଆଦିଲ୍ଲୀ: ଆଦାନି ପ୍ରସଂଗକୁ ନେଇ ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଛି । ଲାଞ୍ଚ ମାମଲାରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଏହାରି ଭିତରେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । କଂଗ୍ରେସ ସାସଂଦଙ୍କ ସିଟ୍‌ ତଳୁ ଏକ ନୋଟ ବିଡ଼ା ଜବତ ହୋଇଛି । ରାଜ୍ୟସଭା ସଭାପତି ଜଗଦୀପ ଧନକଡ୍ ଏନେଇ ସୂଚନା ଦେଇ ଏହାର ଯାଞ୍ଚ ଚାଲିଛି ବୋଲି କହିଛନ୍ତି । ଗୁରୁବାର ରାଜ୍ୟସଭାରେ ଗୃହକାର୍ଯ୍ୟ ଶେଷ ହେବା ପରେ ନିୟମିତ ଯାଞ୍ଚ ହୋଇଥିଲା । ଏହି ସମୟରେ ସୁରକ୍ଷା ଅଧିକାରୀ ସିଟ୍ ସଂଖ୍ୟା ୨୨୨ରୁ ଏକ ନୋଟ୍ ବିଡ଼ା ଜବତ କରିଥିଲେ । ଏହି ସିଟ୍ ବର୍ତ୍ତମାନ ତେଲଙ୍ଗାନା ରାଜ୍ୟରୁ ନିର୍ବାଚିତ ହୋଇଥିବା କଂଗ୍ରେସ ସାଂସଦ ଅଭିଷେକ୍ ମନୁ ସିଂଘବୀଙ୍କ ଅଧୀନରେ ରହିଛି । ଏହି ଘଟଣାର ଏବେ ଯାଞ୍ଚ ଚାଲିଛି ବୋଲି ରାଜ୍ୟସଭା ସଭାପତି ଜଗଦୀପ୍ ଧନକଡ କହିଛନ୍ତି । ସେପଟେ ବିରୋଧୀ କଂଗ୍ରେସକୁ ଘେରିବା ପାଇଁ ଭାରତୀୟ ଜନତା ପାର୍ଟିକୁ ପ୍ରଂସଗ ମିଳିଯାଇଛି ।

ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜୁଜ କହିଛନ୍ତି, ନିୟମିତ ପ୍ରୋଟୋକଲ୍ ଅନୁଯାୟୀ, ଗତକାଲି ସଂସଦ କାର୍ଯ୍ୟ ଶେଷ ହେବା ପରେ ସୁରକ୍ଷାକର୍ମୀ ସମସ୍ତ ସାଂସଦଙ୍କ ସିଟକୁ ଯାଞ୍ଚ କରିଥିଲେ । ଏହି ସମୟରେ ସିଟ୍ ସଂଖ୍ୟା ୨୨୨ରୁ ଏକ ନୋଟ୍ ବଣ୍ଡଲ ମିଳିଥିବା ବୋଲି ରିଜୁଜ କହିଛନ୍ତି । ସେହି ସିଟ୍‌ରେ ବସୁଥିବା ସାଂସଦଙ୍କ ନାଁ ଘୋଷଣା କଲେ ଅସୁବିଧା ନାହିଁ ବୋଲି ସଂସଦୀୟ   ବ୍ୟାପାର ମନ୍ତ୍ରୀ ମତ ରଖିଛନ୍ତି । ସେପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାଅର୍ଜୁନ ଖଡଗେ କହିଛନ୍ତି, ଯେ ପର୍ଯ୍ୟନ୍ତ ମାମଲାର ଯାଞ୍ଚ ଚାଲିଛି , ସେପର୍ଯ୍ୟନ୍ତ ସବୁକିଛି ସ୍ପଷ୍ଟ ହୋଇନାହିଁ । ତେଣୁ ତାଙ୍କ ନାଁ ପ୍ରକାଶ କରିବା ଠିକ୍ ହେଲା ନାହିଁ । ଖଡଗେଙ୍କ ଏହି ବୟାନ ପରେ ରାଜ୍ୟସଭାରେ ହଙ୍ଗାମା ହୋଇଛି । ବିଜେପି ସାଂସଦମାନେ ବିରୋଧୀଙ୍କୁ ଘେରିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.