ବଦଳିଲା ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ସଡକର ନାମ, ରାଜପଥ ହେଲା କର୍ତ୍ତବ୍ୟପଥ
7/09/2022 at 12:56 PM

ନୂଆଦିଲ୍ଲୀ: ଦିଲ୍ଲୀର ରାଜପଥର ନାମ ଏବେ କର୍ତ୍ତବ୍ୟପଥ ନାମରେ ହେବ ଜଣା। ବୁଧବାର ଅନୁଷ୍ଠିତ ଏନଡିଏମସି ବୈଠକରେ ପ୍ରସ୍ତାବ ଉପରେ ମୋହର ବାଜିଛି। ଖାସ୍ କଥା ଜାନୁଆରୀ 26 ପରେଡର ମୂକସାକ୍ଷୀ ପାଲଟୁଥିବା ରାଜପଥର ନାମ ପୂର୍ବେ କିଙ୍ଗ୍ସଓ୍ଵେ ଥିଲା। ଗଣତନ୍ତ୍ର ଦିବସ ପରେଡରେ ତିନି କିଲୋମିଟର ମାର୍ଗର ଦୂରତା ବିଜୟ ଚୌକରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ରହିଥାଏ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ନୂତନ ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏବେ ନେତାଜୀଙ୍କ ପ୍ରତୀମାଠୁ ନେଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯାଉଥିବା ମାର୍ଗ ଏବଂ ପୂରା ଅଞ୍ଚଳ କର୍ତ୍ତବ୍ୟପଥ ନାମରେ ପରିଚିତ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନ ମାର୍ଗର ନାମ ରେସ୍ କୋର୍ସ ରୋଡରୁ ପରିବର୍ତ୍ତନ କରାଯାଇ କଲ୍ୟାଣ ମାର୍ଗ କରାଯାଇଥିଲା।
କଣ ପାଇଁ ବଦଳାଗଲା ନାମ
କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ରାଜପଥର ନାମ ବଦଳାଇବା ଉପରେ ଆଲୋଚନା କରିଥିଲେ। ସେ କହିଥିଲେ, ଆମକୁ ସ୍ଵାଧୀନତା ମିଳିବା ପରେ ବି ଆମେ ଔପନିବେଶବାଦକୁ ଆଗକୁ ବଢାଇ ଚାଲିଛନ୍ତି। ରାଜପଥ ଦର୍ଶାଉଛି ଯେ, ଆପଣ କେବଳ ରାଜା ପାଇଁ ଆସିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ପ ପାଳନ କରୁଛି। ଏବେ ଆମକୁ ସାମ୍ରାଜ୍ୟବାଦୀ ନୀତି, ପ୍ରତୀକକୁ ସମାପ୍ତ କରିବାକୁ ପଡିବ। ଏଥିପାଇଁ ରାଜପଥ ନାମ ବଦଳାଯାଇ କର୍ତ୍ତବ୍ୟପଥ କରାଯାଇଛି। ଉଲ୍ଲେଖନୀୟ ଅଗଷ୍ଟ 15ରେ ପ୍ରଧାନମନ୍ତ୍ରୀ ଦେଇଥିବା ନିଜ ଭାଷଣରେ ଔପନିବେଶବାଦ ମାନସିକତାକୁ ଦର୍ଶାଉଥିବା ଚିହ୍ନକୁ ସମାପ୍ତ କରିବା ଉପରେ ଜୋର ଦେଇଥିଲେ।