କର୍ଣ୍ଣେଲ ହୋସିଆର ସିଂହଙ୍କ ପତ୍ନୀଙ୍କ ପାଦ ଛୁଇଁଲେ ରାଜନାଥ ସିଂହ, କହିଲେ- ଆପଣଙ୍କ ବଳିଦାନର ମୂଲ୍ୟ ଦେଇ ହେବ ନାହିଁ

Published By : Prameya-News7 Bureau | December 14, 2021 IST

ନୂଆଦିଲ୍ଲୀ ୧୪/୧୨ : କେନ୍ଦ୍ରୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୧୯୭୧ ମସିହାରେ ଭାରତ-ପାକ ଯୁଦ୍ଧରେ ଅସୀମ ସାହାସ ଓ ପରାକ୍ରମ ଦେଖାଇଥିବା କର୍ଣ୍ଣେଲ ହୋସିଆର ସିଂହଙ୍କ ପତ୍ନୀଙ୍କ ପାଦ ଛୁଇଁ ପ୍ରଣାମ କରିଛନ୍ତି। କର୍ଣ୍ଣେଲ ହୋସିୟାର ସିଂହଙ୍କୁ ୧୯୭୧ରେ ମସିହାରେ ଭାରତ ପାକ ଯୁଦ୍ଧରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଯୋଗୁଁ ପରମବୀର ଚକ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ନୂଆଦିଲ୍ଲୀରେ ଅନୁଷ୍ଠିତ ବିଜୟ ପର୍ବ ସମାଧାନ ସମାରୋହରେ ଯୋଗ ଦେବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ତାଙ୍କ ପତ୍ନୀଙ୍କୁ ଭେଟିଛନ୍ତି।

ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଭାରତ ସହିତ ୧୯୭୧ ମସିହାରେ ହୋଇଥିବା ଯୁଦ୍ଧରେ ପାକିସ୍ତାନ ତାର ଏକ ତୃତୀୟାଂଶ ସ୍ଥଳ ସେନା, ନୌସେନାର ଅର୍ଦ୍ଧାଧୀକ ଅଂଶ ଓ ବାୟୁସେନାର ଏକ ଚତୁର୍ଥାଂଶ ସୈନିକଙ୍କୁ ହରାଇଥିଲା। ଏହି ଯୁଦ୍ଧରେ ଭାରତର ବିଜୟ ବିଶ୍ୱ ଇତିହାସରେ ଏକ ମହତ୍ଵପୂର୍ଣ୍ଣ ଅଧ୍ୟାୟ ସୃଷ୍ଟି କରିଥିଲା। ଦିଲ୍ଲୀରେ ବିଜୟ ପର୍ବ ସମାଧାନ ସମାରୋହରେ ବକ୍ତବ୍ୟ ପ୍ରଦାନ କରି ରାଜନାଥ ସିଂ କହିଛନ୍ତି ୧୯୭୧ ମସିହାରେ ହୋଇଥିବା ଏହି ଯୁଦ୍ଧରେ ପାକିସ୍ତାନ ୯୩,୦୦୦ ସୈନିକ ଆତ୍ମସମର୍ପଣ କରିଥିଲେ। ଏହି ଆତ୍ମ ସମର୍ପଣକୁ ବିଶ୍ୱ ଇତିହାସ ଐତିହାସିକ ଆତ୍ମ ସମର୍ପଣର ଆଖ୍ୟା ଦେଇଛି।

ଭାରତୀୟ ପ୍ରତିରକ୍ଷାରେ ସେନାମାନଙ୍କର ଭୂମିକା ବର୍ଣ୍ଣନା କରି ରକ୍ଷାମନ୍ତ୍ରୀ କହିଛନ୍ତି, ‘‘ଆପଣମାନେ ଆମ ଦେଶର ସୀମା ସହିତ ଆମର ଏକତା ଓ ଅଖଣ୍ଡତାର ରକ୍ଷା କବଚ ଅଟନ୍ତି। ଆଜି ଆମ ଦେଶ ନିରନ୍ତର ପ୍ରଗତି ସହ ଆଗକୁ ବଢ଼ି ଚାଲିଛି। ଦେଶ ଆଜି ଶାନ୍ତିରେ ଶୋଇ ପାରୁଛି କାରଣ ଆପଣ ମାନେ ସୀମାରେ ସବୁବେଳେ ଜାଗ୍ରତ ରହୁଛନ୍ତି । ଦେଶ ମାତୃକା ପ୍ରତି ଆପଣମାନେ ଦେଇଥିବା ବଳିଦାନକୁ କେବେ ବି ପୂରଣ କରାଯାଇ ପାରିବ ନାହିଁ।

ଦିଲ୍ଲୀରେ ଥିବା ଇଣ୍ଡିଆ ଗେଟରେ ରାଜନାଥ ସିଂହ ଡିସେମ୍ବର ୧୨ ତାରିଖରେ ଭାରତୀୟ ସଶସ୍ତ୍ର ସେନା ବାହିନୀର ବୀରତା, ୧୯୭୧ରେ ଭାରତ ପାକ ଯୁଦ୍ଧରେ ବାଂଲାଦେଶର ମୁକ୍ତିର ସ୍ମୃତିରେ ଆୟୋଜନ କରାଯାଇଥିବା ସ୍ୱର୍ଣ୍ଣିମ ବିଜୟ ଦିବସର ଉଦଘାଟନ କରିଥିଲେ। ଏହି ଆୟୋଜନ ୧୯୭୧ ଭାରତ ପାକ ଯୁଦ୍ଧର ଭାରତର ବିଜୟ ଉପଲକ୍ଷେ ୫୦ ବର୍ଷ ପୂର୍ତ୍ତି ଅବସରରେ ପାଳନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.