ରାଜୀବ ବଜାଜ୍; ଯିଏ ଭାରତକୁ ଆଣିଥିଲେ ‘ପଲସର୍’ ବାଇକ୍, ‘ବଜାଜ୍’ର ମାନ୍ଦା ବ୍ୟବସାୟକୁ କରିଥିଲେ ଚଳଚଞ୍ଚଳ
18/08/2023 at 7:25 PM

ନୂଆଦିଲ୍ଲୀ 18/08 : ବ୍ୟବସାୟୀ ଘରର ପୁଅ। ଜେଜେ ବାପା ଓ ବାପାଙ୍କ ପରେ ବ୍ୟବସାୟକୁ ନେଇଛନ୍ତି ଆଗକୁ। ଆମେ କହୁଛୁ ‘ବଜାଜ ଅଟୋ’ର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ରାଜୀବ ବଜାଜଙ୍କ କଥା। ଜେଜେବାପାଙ୍କ ବ୍ୟବସାୟକୁ ଆଗକୁ ନେବାରେ ସେ ପ୍ରମୁଖ ଚାଳକ । ଫେବୃଆରୀ 2022 ରେ ବଜାଜ ଗ୍ରୁପର ଚେୟାରମ୍ୟାନ୍ ଏମିରିଟସ୍ ଭାବରେ କାର୍ଯ୍ୟ କରିଥିବା ସ୍ୱର୍ଗତ ରାହୁଲ ବଜାଜଙ୍କ ମୃତ୍ୟୁ ହୋଇଥିଲା। ପରେ ତାଙ୍କ ପୁଅ ରାଜୀବ ବଜାଜ ପରିବାରର ଉତ୍ତରାଧିକାରୀ ଭାବେ ବ୍ୟବସାୟକୁ ଆଗକୁ ନେଇଛନ୍ତି।

ଅଗ୍ରଣୀ ବାଇକ୍ ନିର୍ମାତା କମ୍ପାନୀ ‘ବଜାଜ୍ ଅଟୋ’ର ବ୍ୟବସାୟ ମାନ୍ଦା ପଡ଼ି ଆସିଥିବା ବେଳେ ରାଜୀବ ବଜାଜ୍ ଭାରତରେ ‘ପଲସ୍ର୍ ଲାଇନ୍ ବାଇକ୍’ ପ୍ରଚଳନ କରି ବ୍ୟବସାୟକୁ କରିଥିଲେ ସଚଳ। କମ୍ପାନୀର ଉନ୍ନତି ଓ ଅଭିବୃଦ୍ଧି କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ରାଜୀବ। ବଜାଜ ଅଟୋ ଏବେ ‘ବଜାଜ୍ ଗ୍ରୁପ୍’ ନାଁରେ ଲୋକପ୍ରିୟ। ଏହି ସଂସ୍ଥାନକୁ ରାଜୀବଙ୍କ ଅଣଜେଜେ ତଥା ମହାତ୍ମା ଗାନ୍ଧୀଙ୍କର ଅନୁଗାମୀ ଯମନାଲାଲ୍ ବଜାଜ୍ ୧୯୨୬ ମସିହାରେ ସ୍ଥାପନ କରିଥିଲେ। ଏବେ ଏହି ସଂସ୍ଥାନ ଦ୍ବିଚକିଆ ଯାନ, ଆର୍ଥିକ ସେବା ଏବଂ ବୈଦ୍ୟୁତିକ ଉପକରଣ ଶିଳ୍ପ ସମେତ ୪୦ ପ୍ରକାରର ବ୍ୟବସାୟ କରୁଛି।

‘ବଜାଜ୍ ଗ୍ରୁପ୍’ ପରିଚାଳନା ନିର୍ଦେଶକ ତଥା ‘ସିଇଓ’ ରାଜୀବଙ୍କର ଜନ୍ମ ୧୯୬୬ ମସିହା ଡିସେମ୍ବର ୨୧ ତାରିଖରେ। ୨୦୦୫ରେ ସେ ‘ବଜାଜ୍ ଅଟୋ’ର ପରିଚାଳନା ନିର୍ଦ୍ଦେଶକ ରୂପେ ଦାୟିତ୍ବ ଗ୍ରହଣ କରିଥିଲେ। ପୁଣେର ଅକୁର୍ଦିସ୍ଥିତ ‘ସେଣ୍ଟ୍ ଉର୍ସୁଲା ହାଇସ୍କୁଲ୍’ରୁ ସ୍ନାତକୋତ୍ତର ହାସଲ କରିଥିବା ରାଜୀବ ୧୯୮୮ରେ ପୁଣେ ବିଶ୍ବବିଦ୍ୟାଳୟରୁ ‘ମେକାନିକାଲ୍ ଇଞ୍ଜିନିୟରିଙ୍ଗ୍’ କରିଥିଲେ। ତା’ପରେ ୧୯୯୦ରେ ସେ ୱାର୍ୱିକ୍ ବିଶ୍ବବିଦ୍ୟାଳୟରୁ ‘ମ୍ୟାନୁଫ୍ୟାକ୍ଚରିଙ୍ଗ୍ ସିଷ୍ଟମ୍ ଇଞ୍ଜିନିୟରିଙ୍ଗ୍’ରେ ବି ‘ଡିଷ୍ଟିଙ୍କ୍ସନ୍’ରେ ସ୍ନାତକତ୍ତୋର ଡିଗ୍ରୀ ହାସଲ୍ କରିଥିଲେ।

ଶିକ୍ଷା ଶେଷ ହେବା ପରେ ସେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ‘ବଜାଜ୍ ଅଟୋ’ର ‘ମ୍ୟାନୁଫ୍ୟାକ୍ଚରିଙ୍ଗ୍ ଆଣ୍ଡ୍ ସପ୍ଲାଏ ଚେନ୍’, ୧୯୯୫ରୁ ୨୦୦୦ ପର୍ଯ୍ୟନ୍ତ ‘ଆର୍ ଆଣ୍ଡ୍ ଡି ଆଣ୍ଡ୍ ଇଞ୍ଜିନିୟରିଙ୍ଗ୍’, ‘୨୦୦୦ରୁ ୨୦୦୫ ପର୍ଯ୍ୟନ୍ତ ‘ମାର୍କେଟିଙ୍ଗ୍ ଆଣ୍ଡ୍ ସେଲ୍ସ୍’ରେ ବିଭିନ୍ନ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୫ ଏପ୍ରିଲ୍ରୁ ସେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
‘ଏକ ସାକ୍ଷାତକାରରେ ରାଜୀବ କହିଥିଲେ ଯେ, ‘ରୟାଲ୍ ଏନ୍ଫିଲ୍ଡ୍’ର ମାଲିକାନା ଥିବା ‘ଆଇସର୍ ମୋଟୋର୍ସ ଲିମିଟେଡ୍’ର ପରିଚାଳନା ନିର୍ଦେଶକ ସିଦ୍ଧାର୍ଥ ଲାଲ୍ ହେଉଛନ୍ତି ତାଙ୍କର ଶ୍ରେଷ୍ଠ ପ୍ରେରଣାଦାତାଙ୍କ ମଧ୍ୟରେ ଅନ୍ୟତମ। ‘ଫୋର୍ବସ୍’ ପତ୍ରିକା ରିପୋର୍ଟ ଅନୁସାରେ, ୨୦୨୨ରେ ରାଜୀବ ବଜାଜ୍ଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୩୫,୬୦୦ କୋଟି ଟଙ୍କା।
Also Read- ବାପାଙ୍କ ଦୋକାନରେ କାମ କରୁଥିଲେ; ୬୦ଲକ୍ଷରେ ଖୋଲିଲେ ସୁନା ଦୋକାନ, ଏବେ ସେ ୨ବିଲିଅନ୍ ଡଲାରର ମାଲିକ