ଜନ୍ମତିଥିରେ ରାଜୀବଙ୍କୁ ମନେ ପକାଇଲେ ଶଶି ଥରୁର : ସେୟାର କଲେ ସବୁଠୁ ଯୁବ ପ୍ରଧାନମନ୍ତ୍ରୀଙ୍କ ପାଇଲଟ୍ ଲାଇସେନ୍ସ
20/08/2022 at 2:49 PM

ନୂଆଦିଲ୍ଲୀ, ୨୦|୦୮:ଶନିବାର ଅର୍ଥାତ ଆଜି ହେଉଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ରାଜୀବ ଗାନ୍ଧୀଙ୍କ ୭୮ ତମ ଜନ୍ମଦିନ । ଏହି ଅବସରରେ କଂଗ୍ରେସ ନେତାଙ୍କ ସମେତ ଅନ୍ୟ ଦଳର ବରିଷ୍ଠ ନେତା ରାଜୀବଙ୍କୁ ମନେ ପକାଇଛନ୍ତି । ତାଙ୍କ ସ୍ମୃତିଚାରଣ ମଧ୍ୟ କରିଛନ୍ତି । ଏହି ପରିପ୍ରେକ୍ଷୀରେ କଂଗ୍ରେସ ସାଂସଦ ଶଶି ଥରୁର ରାଜୀବଙ୍କ ପାଇଲଟ୍ ବେଳର ଲାଇସେନ୍ସ ସେୟାର କରିଛନ୍ତି ।
ଥରୁର କହିଛନ୍ତି ଯେ, ରାଜୀବ ପାଇଲଟ ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହାସହ ଦେଶକୁ ମଧ୍ୟ ନୂଆ ସୋପାନରେ ପହଁଚାଇଥିଲେ । କିନ୍ତୁ ଆମକୁ ଅଧାରେ ଛାଡି ଚାଲିଯାଇଥିଲେ । ସେ ବ୍ରିଟେନରେ ପାଠ ପଢିସାରିବା ପରେ ଦିଲ୍ଲୀ ଫ୍ଲାଇଂ କ୍ଲବରୁ ପାଇଲଟ୍ ଲାଇସେନ୍ସ ପାଇଥିଲେ ବୋଲି ଥରୁର ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।
#RememberingRajivGandhi on what would have been his 78th birthday. He piloted the nation to greater heights but was cruelly snatched from us in mid-flight. pic.twitter.com/UARsRN5Vf7
— Shashi Tharoor (@ShashiTharoor) August 20, 2022
ବାପାଙ୍କୁ ମନେ ପକାଇଲେ ରାହୁଲ-ପ୍ରିୟଙ୍କା
କଂଗ୍ରେସ ନେତାଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ରାଜୀବଙ୍କ ସ୍ମୃତି ଚାରଣ କରିଛନ୍ତି । ସେହିପରି ସକାଳେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଜୀବଙ୍କ ସ୍ମୃତିପୀଠ ଗସ୍ତ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ସୂଚନାଯୋଗ୍ୟ, ରାଜୀବ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ଥିଲେ । ସେ ୧୯୮୪ରୁ ୧୯୮୯ ଯାଏଁ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ୧୯୪୪ ମସିହା ଅଗଷ୍ଟ ୨୦ ତାରିଖରେ ଜନ୍ମ ହୋଇଥିବା ରାଜୀବ ୧୯୯୧ରେ ଏକ ଆତ୍ମଘାତୀ ବିସ୍ଫୋରଣରେ ପ୍ରାଣ ହାରଇଥିଲେ ।
୪୦ ବର୍ଷରେ ପ୍ରଧାନମନ୍ତ୍ରୀ
୪୦ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିବା ରାଜୀବ ଗାନ୍ଧୀ ଭାରତର ସବୁଠୁ କମ୍ ବୟସ୍କ ପ୍ରଧାନମନ୍ତ୍ରୀ ଥିଲେ ଏବଂ ବୋଧହୁଏ ସେହି ଯୁବ ରାଜନେତାମାନଙ୍କ ମଧ୍ୟରୁ ଜଣେ ଯେଉଁମାନେ ସରକାରର ନେତୃତ୍ବ ନେଇଥିଲେ ।
୧୯୯୧ ମସିହାର ଆତ୍ମଘାତୀ ବିସ୍ଫୋରଣ ଘଟଣା ସାରା ଦେଶକୁ ଚକିତ କରିଦେଇଥିଲା । ଏଲଟିଟିଇ ଉଗ୍ରବାଦୀମାନେ ଶ୍ରୀଲଙ୍କାରେ ଶାନ୍ତି ସେନା ପଠାଇବାକୁ ନେଇ କ୍ଷୁବ୍ଧ ହୋଇ ତାମିଲ ବିଦ୍ରୋହୀମାନେ ତାମିଲନାଡୁ ସ୍ପିପେରୁମ୍ବୁଦୁରରେ ରାଜୀବ ଗାନ୍ଧୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ କରିଥିଲେ । ଯେଉଁଥିପାଇଁ ସେମାନେ ଜଣେ ମହିଳାଙ୍କୁ ବ୍ୟବହାର କରିଥିଲେ ।
ସେହି ସମୟରେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ରାଜୀବ ଗାନ୍ଧୀଙ୍କ ନିକଟକୁ ଜଣେ ମହିଳା ଫୁଲ ମାଳ ନେଇ ପହଞ୍ଚିଥିଲେ । ଯିଏକି ରାଜୀବ ଗାନ୍ଧୀଙ୍କ ଅତି ନିକଟକୁ ଯାଇ ନିଜକୁ ବମ୍ ଦ୍ବାରା ଉଡାଇଦେଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସେଠାରେ ଉପସ୍ଥିତ ଥିବା ଅଧିକାଂଶ ଲୋକଙ୍କର ମୃତ୍ୟୁ ହୋଇଥିଲା ।