ପଞ୍ଜାବକୁ ଜିତାଇଲେ ଅଧିନାୟକ ସାମ କରନ, ରାଜସ୍ଥାନର ଲଗାତାର ଚତୁର୍ଥ ପରାଜୟ

Published By : Prameya-News7 Bureau | May 15, 2024 IST

aajtak

ଗୌହାଟୀ: ପ୍ରଥମେ ବୋଲିଂ ଏବଂ ପରେ ବ୍ୟାଟିଂରେ ସାମ କରନଙ୍କ କମାଲ।  ଅଧିନାୟକ ସାମ କରନଙ୍କ ଅଧିନାୟକତ୍ଵ ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଆଇପିଏଲ୍‌ର ୬୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୫ ଓ୍ଵିକେଟ୍‌ରେ ହରାଇଛି। ଗୌହାଟୀର ବରସାପରା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସ ୯ ଓ୍ଵିକେଟ୍ ହରାଇ ୧୪୪ ରନ କରିଥିଲା। ରିୟାନ ପରାଗ ୪୮ ରନ କରିଥିବା ବେଳେ ରବିଚନ୍ଦ୍ରନ ଅଶ୍ଵିନ ୨୮ ରନ କରିଥିଲେ। ଜବାବରେ ପଞ୍ଜାବ କିଙ୍ଗ୍ସ ସାମ କରନଙ୍କ ୪୧ ବଲ୍‌ରୁ ୬୩ ରନର ଅପରାଜିତ ଇନିଂସ ବଳରେ ୧୮.୫ ଓଭରରେ ୫ ଓ୍ଵିକେଟ୍ ହରାଇ ଲକ୍ଷ୍ୟ ହାସଲ କରି ନେଇଥିଲା। ଅଙ୍କ ତାଲିକାର ଦ୍ଵିତୀୟ ସ୍ଥାନରେ ଥିଲେ ମଧ୍ୟ ରାଜସ୍ଥାନ କ୍ରମାଗତ ଚତୁର୍ଥ ପରାଜୟ ଭୋଗିଛି।  ସାମ କରନ ବୋଲିଂରେ ୨ ଓ୍ଵିକେଟ୍ ନେଇଛନ୍ତି। 

Also read: BCCIର ବଡ ନିଷ୍ପତ୍ତି; ଶେଷ ହେବ ଟସ୍‌ ପଡିବା ଧାରା, କ୍ୟାପଟେନ୍‌ ନେବେ ବୋଲିଂ କି ବ୍ୟାଟିଂ ନିଷ୍ପତ୍ତି

୧୪୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବ କିଙ୍ଗ୍ସର ଆରମ୍ଭ ନୈରାଶ୍ୟଜନକ ଥିଲା। ପ୍ରଭସିମରନ ସିଂ(୬)ଙ୍କ ପରେ ରିଲି ରୋସୋ ଦ୍ରୁତ ବ୍ୟାଟିଂକରି ୨୨ ରନ କରିଥିଲେ। ଶଶାଙ୍କ ସିଂ ଖାତା ଖୋଲି ପାରି ନଥିବା ବେଳେ ଜୋନି ବେୟାରଷ୍ଟୋ ୧୪ ରନର ଧିମା ଇନିଂସ ଖେଳି ପାଭିଲିୟନ ଫେରିଥିଲେ। ୪୮ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲରେ ଥିବା ପଞ୍ଜାବ କିଙ୍ଗ୍ସର ମଙ୍ଗ ସମ୍ଭାଳିଥିଲେ ଅଧିନାୟକ ସାମ କରନ। ସେ ଜିତେଶ ଶର୍ମାଙ୍କ ସହ ଧୈର୍ଯ୍ୟର ସହ ବ୍ୟାଟିଂ କରି ପଞ୍ଚମ ଓ୍ଵିକେଟ୍ ପାଇଁ ୬୩ ରନ ଯୋଡ଼ି ବିଜୟ ନିଶ୍ଚିତ କରିଥିଲେ। ସାମ କରନ ୪୧ ବଲରୁ ୫ ଚୌକା ଓ ୩ ଛକା ସହ ୬୩ ରନର ଅପରାଜିତ ଇନିଂସ ଖେଳି ଦଳକୁ ଜିତାଇଛନ୍ତି। ଆଶୁତୋଷ ଶର୍ମା ୧୭ ରନ କରି ଅପରାଜିତ ଥିଲେ। ବୋଲିଂରେ ରାଜସ୍ଥାନ ପକ୍ଷରୁ ୟୁଜବେନ୍ଦ୍ର ଚହଲ ଓ ଅଭେଶ ଖାନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.