ମଧ୍ୟ ପ୍ରଦେଶ ପରେ ରାଜସ୍ଥାନ କଂଗ୍ରେସରେ କଳହ, ବିଦ୍ରୋହ ଆରମ୍ଭ କଲେ ବିଧାୟକ

Published By : Prameya-News7 Bureau | March 14, 2020 IST

ଜୟପୁର ୧୪।୦୩: ଜ୍ୟୋତିରାଦିତ୍ୟ ସିନ୍ଧିଆ ପାର୍ଟି ଛାଡିବାର ଝଟକାରୁ ମୁକୁଳିନଥିବା କଂଗ୍ରେସ ଏବେ ରାଜସ୍ଥାନରେ ମଧ୍ୟ ଅଡୁଆରେ ପଡିଛି। ମଧ୍ୟ ପ୍ରଦେଶ ପରି ରାଜସ୍ଥାନରେ ମଧ୍ୟରେ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ଦେଖିବାକୁ ମିଳିଛି। ରାଜସ୍ଥାନ ପାର୍ଟିରେ ରାଜ୍ୟସଭା ନିର୍ବାଚନ ଲାଗି ଯେଉଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି, ସେଥିରେ ଅନେକ ପାର୍ଟି ନେତା ଆପତ୍ତି ଉଠାଇଛନ୍ତି। ଏବେ ପାର୍ଟିର ନେତା ଖୋଲାଖୋଲି ମୁହଁ ଖୋଲିବା ଆରମ୍ଭ କଲେଣି।

ଉଲ୍ଲେଖଯୋଗ୍ୟ, ରାଜସ୍ଥାନରୁ କଂଗ୍ରେସ ରାଜ୍ୟସଭା ଲାଗି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଏଥିରେ କେସି ବେଣୁଗୋପାଳ ଓ ନୀରଜ ଡାଙ୍ଗିଙ୍କ ନାମ ସାମିଲ ରହିଛି। ବିବାଦ ନୀରଜ ଡାଙ୍ଗିଙ୍କ ନାମକୁ ନେଇ ରହିଛି। ନୀରଜ ଡାଙ୍ଗି ଜଣେ ଦଳିତ ନେତା ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିକଟତର। ସବୁଠୁ ବଡ କଥା ନୀରଜ ଡାଙ୍ଗି ତିନି ଥର ନିର୍ବାଚନ ହାରି ସାରିଛନ୍ତି।

{"id":238521,"width":747,"height":419,"sizeSlug":"large"}

ଏହାକୁ ନେଇ ପାର୍ଟିର ଜଣେ ବିଧାୟକ ସହିତ ଅନେକ ନେତା ସ୍ଵର ଉଠାଇଛନ୍ତି। ରାଜସ୍ଥାନର କଂଗ୍ରେସ ବିଧାୟକ ଭେଦ ପ୍ରକାଶ ସୋଲାଙ୍କୀଙ୍କ କହିବା କଥା ବିଧାନସଭାରେ ଏହାକୁ ନେଇ ଚର୍ଚ୍ଚା ହେଉଛି ଯେ, କଣ ସେ ଏକାକୀ ଅନୁସୂଚିତ ଜାତିର ପ୍ରାର୍ଥୀ ? ସେ ତିନି ଥର ନିର୍ବାଚନ ହାରି ସାରିଛନ୍ତି। ଏହା ପରେ ମଧ୍ୟ ପାର୍ଟି ତାଙ୍କୁ ପ୍ରାର୍ଥୀ କରିଛି।

ନୀରଜ ଡାଙ୍ଗି ରାଜସ୍ଥାନର ଦେସୁରୀରୁ ଥରେ ଏବଂ ରେଓଦର ଆସନରୁ ଦୁଇ ଥର ନିର୍ବାଚନ ହାରି ସାରିଛନ୍ତି। ତଥାପି ସେ  ପାର୍ଟିର ମହାସଚିବ ଅଛନ୍ତି। କଂଗ୍ରେସ ନେତା ନୀରଜ ଡାଙ୍ଗିଙ୍କ ପ୍ରାର୍ଥୀତ୍ଵ ଉପରେ ଅସନ୍ତୋଷ ପ୍ରକଟ୍ କରି କହିଛନ୍ତି ଯେ, କଣ  କୌଣସି ଶକ୍ତିଶାଳି ବ୍ୟକ୍ତିଙ୍କ ନିକଟତର ହେଲେ କଂଗ୍ରେସରୁ ଟିକେଟ୍ ମିଳିଥାଏ। ଆମେ ନିଜର କ୍ୟାଡରଙ୍କୁ କଣ ସନ୍ଦେଶ ଦେଉଛୁ ? ଅଭିଯୋଗ ହେଉଛି ଯେ, ଡାଙ୍ଗିଙ୍କ ପାର୍ଟି ପ୍ରତି କୌଣସି ଖାସ୍ ଯୋଗଦାନ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.