ଏକା ଲଢିଲେ ବଟଲର, କୋଲକାତା ମୁହଁରୁ ଛଡ଼ାଇ ଆଣିଲେ ବିଜୟ; ଖେଳିଲେ ଶତକୀୟ ଇନିଂସ

Published By : Prameya-News7 Bureau | April 16, 2024 IST

କୋଲକାତା: ଜୋସ୍ ବଟଲରଙ୍କ ଅବିଶ୍ଵସନୀୟ ଇଂନିସ। ରୋମାଞ୍ଚକର ମ୍ୟାଚରେ ବାଜି ମାରିଲା ରାଜସ୍ଥାନ। କ୍ରିକେଟ୍‌କୁ କାହିଁକି ଅନିଶ୍ଚିତତାର ଖେଳ କୁହାଯାଏ ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇ ଯାଇଛି। ବଟଲରଙ୍କ ଅପରାଜିତ ବିଧ୍ଵଂସୀ ଶତକ ବଳରେ କୋଲକାତା ମୁହଁରୁ ବିଜୟ ଛଡ଼ାଇ ଆଣିଛି ରାଜସ୍ଥାନ। ସୁନିଲ ନାରିନଙ୍କ ଶତକ ଉପରେ ଭାରି ପଡିଛି ବଟଲରଙ୍କ ଶତକ। ଆଉ ପୁଣି ଥରେ ଆଇପିଏଲ୍‌ ଇତିହାସରେ ସବୁଠୁ ଅଧିକ ୨୨୪ ରନର ବିଜୟ ଲକ୍ଷ୍ୟ ପିଛା କରିବାରେ ନିଜ ରେକର୍ଡର ସମକକ୍ଷ ହୋଇଛି ରାଜସ୍ଥାନ।  ଏହା ପୂର୍ବରୁ ୨୦୨୦ରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ମଧ୍ୟ ଏହି ସମାନ ବିଜୟ ଲକ୍ଷ୍ୟ ପିଛା କରି ହାସଲ କରିଥିଲା ରାଜସ୍ଥାନ। 

ଆଜି କୋଲକାତାର ଇଡେନ ଗାର୍ଡେନରେ ଖେଳା ଯାଇଥିବା ଆଇପିଏଲ୍‌ରେ ୩୧ତମ ମ୍ୟାଚ୍‌ରେ ରାଜସ୍ଥାନ ୨ ଓ୍ଵିକେଟ୍‌ରେ କୋଲକାତାକୁ ମାତ୍ ଦେଇଛି। ବଟଲର ୧୦୭ ରନ କରି ନିଜ ଦମରେ ଦଳକୁ ଜିତାଇଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ସୁନିଲ ନାରିନଙ୍କ ୧୦୯ ରନ ବଳରେ ୬ ଓ୍ଵିକେଟ୍ ହରାଇ ୨୨୩ ରନ କରିଥିଲା। ଜବାବରେ ରାଜସ୍ଥାନ ବଟଲରଙ୍କ ୧୦୭ ରନ ବଳରେ ଶେଷ ବଲରେ ୮ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଏହି ବିଜୟ ସହ ରାଜସ୍ଥାନ ୭ଟି ମ୍ୟାଚ୍‌ରୁ ୬ ବିଜୟ ସହ ୧୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। କୋଲକାତା ଷଷ୍ଠ ମ୍ୟାଚ୍‌ରୁ ଦ୍ଵିତୀୟ ପରାଜୟ ଭୋଗିଛି। 

୨୨୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ରୟାଲ୍ସକୁ ୨୨ ରନରେ ପ୍ରଥମ ଝଟକା ଲାଗିଥିଲା। ଜୟସ୍ଵାଲ(୧୯) ପୁଣି ଥରେ ନିରାଶ କରିଥିଲେ। ଅଧିନାୟକ ସଞ୍ଜୁ ସାମସନ(୧୨) ମଧ୍ୟ ବିଫଳ ହୋଇଥିଲେ। ଅନ୍ୟପଟେ ଜୋସ ବଟଲର ଗୋଟିଏ ପଟେ ମୋର୍ଚ୍ଚା ସମ୍ଭାଳିଥିଲେ। ମଧ୍ୟକ୍ରମରେ ରିୟାନ ପରାଗ ୧୪ ବଲରୁ ୩୪ ରନର ଦ୍ରୁତ ଇନିଂସ ଖେଳିଥିଲେ। ଧ୍ରୁବ ଜୁରେଲ(୨), ଅଶ୍ଵିନ(୮) ଓ ସିମରନ ହେଟମାୟର(୦) ବିଫଳ ହେବାରୁ ରାଜସ୍ଥାନ ଉପରେ ପରାଜୟର ବାଦଲ ଛାଇ ଯାଇଥିଲା। ତେବେ ବଟଲର ଥିବାରୁ ଦଳର ଆଶା ଉଜ୍ଜିବୀତ ରହିଥିଲା। ବଟଲର ବିସ୍ଫୋରକ ବ୍ୟାଟିଂ କରି ଏକାକୀ ଲଢିଥିଲେ। ସେ ୫୫ ବଲରୁ ଆଇପିଏଲ୍‌ରେ ସପ୍ତମ ଶତକ   ହାସଲ କରିଥିଲେ। ସେ ପୁଣି ଏକ ଅବିଶ୍ଵସନୀୟ ଇନିଂସ ଖେଳି କୋଲକାତା ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ। ଶେଷ ଓଭର ଗୁଡିକରେ ନିଜ ପାଖରେ ଷ୍ଟ୍ରାଇକ୍ ରଖି ଛକା ଓ ଚୌକା ବର୍ଷା କରି ଦଳକୁ ଶେଷ ବଲରେ ରୋମାଞ୍ଚକର ବିଜୟ ଦେଇଥିଲେ। ବଟଲର ୬୦ ବଲରୁ ୯ ଚୌକା ଓ   ୬ ଛକା ସହ ୧୦୭ ରନ କରି ଅପରାଜିତ ଥିଲେ। 

ଘରୋଇ ମଇଦାନରେ କୋଲକାତା ନାଇଟ୍ ରାଇଡର୍ସ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ୬ ଓ୍ଵିକେଟ୍  ହରାଇ ୨୨୩ ରନର ବିଶାଳ ସ୍କୋର କରି ରାଜସ୍ଥାନ ରୟାଲ୍ସ ସମ୍ମୁଖରେ  ୨୨୪ ରନର ବିଜୟ ଲକ୍ଷ୍ୟ ରଖିଥିଲା। ନାରିନ ୫୬ ବଲରୁ ୧୩ ଚୌକା ଓ ୬ ଛକା ବଳରେ ୧୦୯ ରନର ଶତକୀୟ ଇନିଂସ ଖେଳିଥିଲେ। ବ୍ୟତୀତ ଅଙ୍ଗକ୍ରିଷ ରଘୁବଂଶୀ ୩୦ ରନ କରିଥିବା ବେଳ ରିଙ୍କୁ ସିଂ ୨୦ ରନ କରି ଅପରାଜିତ ଥିଲେ। ବୋଲିଂରେ ରାଜସ୍ଥାନ ପକ୍ଷରୁ ଅଭେଶ ଖାନ ଓ କୁଲଦୀପ ସେନ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ଚଳିତ ସଂସ୍କରଣରେ ଦମଦାର ପ୍ରଦର୍ଶନ କରି ରାଜସ୍ଥାନ ଶୀର୍ଷରେ ଥିବା ବେଳେ କୋଲକାତା ଦ୍ଵିତୀୟ ସ୍ଥାନରେ ରହିଛି। ଉଭୟ ଦଳ କେବଳ ଗୋଟିଏ ଲେଖାଏଁ ମ୍ୟାଚ୍‌ରେ ପରାଜିତ ହୋଇଛନ୍ତି।  

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.