ରାଜସ୍ଥାନ ଛାତ୍ର ମୃତ୍ୟୁ ଘଟଣା : ୪୦ ଘଣ୍ଟା ପରେ ହେଲା ଅନ୍ତିମସତ୍କାର, ପୋଲିସ ଉପରେ ପଥର ମାଡ କଲେ ଉତ୍ୟକ୍ତ ଲୋକେ

Published By : Prameya-News7 Bureau | August 15, 2022 IST

ନୂଆଦିଲ୍ଲୀ,୧୫/୮ : ରାଜସ୍ଥାନର ଜାଲୋର ଜିଲ୍ଲାର ସୁରାଣା ଗାଁର ଦଳିତ ଛାତ୍ରଙ୍କ ମୃତ୍ୟୁ ମାମଲାରେ ଉତ୍ତେଜନା ଥମିବାର ନାଁ ନେଉନାହିଁ । ୪୦ ଘଣ୍ଟା ପରେ ଛାତ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମ ସଂସ୍କାର ପୂର୍ବରୁ ଗାଁରେ ପୋଲିସ ପ୍ଲାଗମାର୍ଚ୍ଚ କରିଥିଲା । ଏହି ସମୟରେ ପୋଲିସ କର୍ମୀଙ୍କ ଉପରେ ପଥର ଉତ୍ତ୍ୟକ୍ତ ଲୋକେ ପଥର ମାଡ କରିଥିଲେ ।ଏପରିକି ଶିଶୁର ମୃତଦେହ ଛଡାଇ ନେବାକୁ ଚେଷ୍ଟା କରିଥିଲେ ।

ସୂଚନାନୁସାରେ, ଶନିବାର ଛାତ୍ରଜଣଙ୍କ ସ୍କୁଲରେ ଏକ ମାଠିଆରୁ ପାଣି ପିଇଥିଲେ । ଫଳରେ ତାଙ୍କୁ ଜଣେ ଶିକ୍ଷକ ମାଡ ମାରିଥିଲେ । ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ବି ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଛାତ୍ରଙ୍କ ଗାଁରେ ଉତ୍ତେଜନା ଲାଗି ରହିଛି ।

ରବିବାର ଛାତ୍ରର ମୃତଦେହ ଘରେ ପହଁଚିଥିଲା । ଦାବି ପୂରଣ ନେହେବା ଯାଏଁ ପରିବାର ଲୋକେ ଅନ୍ତିମ ସଂସ୍କାର କରିବେ ନାହିଁ ବୋଲି କହିଥିଲେ । ଘର ଅଗଣାରେ ମୃତଦେହ ରଖି ପ୍ରଶାସନ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲା । ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ପରିବାରର ଜଣଙ୍କୁ ଚାକିରୀ ଓ ସ୍କୁଲର ମାନ୍ୟତା ରବ୍ଦ କରିବା ପାଇଁ ପରିବାର ଲୋକେ ଦାବି କରିଥିଲେ । ଉଭୟ ପକ୍ଷ ମଧ୍ୟରେ ଚାରି ପର୍ଯ୍ୟାୟରେ ଆଲୋଚନା ହୋଇଥିଲେ ବି ବିଫଳ ହୋଇଥିଲା ।

ଏହି ସମୟରେ ଗାଁ ଲୋକେ ପୋଲିସ-ପ୍ରଶାସନ ଉପରେ ପଥର ମାଡ କରିଥିଲେ । ପୋଲିସ ମଧ୍ୟ ପାଲଟା ଲାଠି ଚାଳନା କରିଥିଲା । ଏଥିରେ କିଛି ମହିଳାଙ୍କ ସମେତ ୧୦ରୁ ଅଧିକ ଆହତ ହୋଇଛନ୍ତି । ପୋଲିସ ଭୀମଆର୍ମିର ୧୦ଜଣଙ୍କୁ ଅଟକ ରଖିଛି । ଶେଷରେ ୪୦ ଘଣ୍ଟା ପରେ ପରିବାର ଲୋକଙ୍କ ସହ ଆଲୋଚନା ସଫଳ ପରେ ଅନ୍ତିମ ସଂସ୍କାର କରାଯାଇଥିଲା ।

ସୂଚନାଯୋଗ୍ୟ, ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ଏସସି-ଏସଟି ଆକ୍ଟ, ହତ୍ୟା ଧାରା ଅନୁସାରେ ମାମଲା ରୁଜୁ କରିଛି । ଶିକ୍ଷକଙ୍କୁ ଗିରଫ କରାଯାଇଛି । ଏହି ମାମଲାକୁ ପୋଲିସ ଗୁରୁତର ସହ ନେଇ ଯାଞ୍ଚ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.