ଉଜ୍ଜ୍ୱଳା ଯୋଜନା ନାମ ବଦଳାଇବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ବିଜେପି କହିଲା- କଂଗ୍ରେସ କରୁଛି ଶସ୍ତା ପ୍ରଚାର
27/04/2023 at 10:49 PM

ନୂଆଦିଲ୍ଲୀ, ୨୭/୦୪: ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ନାମ ପରିବର୍ତ୍ତନ କରିବାକୁ ରାଜସ୍ଥାନ ସରକାରଙ୍କ ନିଷ୍ପତ୍ତି ପରେ ତେଜିଛି ରାଜନୀତି। ରାଜସ୍ଥାନ ସରକାର ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ନାମ ଇନ୍ଦିରା ଗାନ୍ଧୀ ଗ୍ୟାସ୍ ସବସିଡି ଯୋଜନା କରିବାକୁ ନିଷ୍ପତ୍ତି ନେଇଛି। ଆଉ ଏହି ନିଷ୍ପତ୍ତିକୁ କଂଗ୍ରେସର ଶସ୍ତା ପ୍ରଚାର ବୋଲି କହିଛି ବିଜେପି। ବିଜେପି ଆହୁରି ଅଭିଯୋଗ କରିଛି ଯେ ରାଜ୍ୟ ସରକାର ରାଜନୀତିକ ଲାଭ ପାଇଁ ଏବଂ ଗାନ୍ଧୀ ପରିବାର ପ୍ରତି ନିଜର ସଚ୍ଚୋଟତା ଦେଖାଇବାକୁ ଏଭଳି କରୁଛି। ସୂଚନାଥାଉ, ଉଜ୍ଜ୍ୱଳା ଯୋଜନାରେ ଅନୁଯାୟୀ ପରିବାରଙ୍କୁ ପ୍ରତିବର୍ଷ ୫୦୦ ଟଙ୍କାରେ ୧୨ ଏଲପିଜି ସିଲିଣ୍ଡର ଦିଆଯିବ।
ବିଜେପି ବିଧାୟକ ରାମଲାଲ ଶର୍ମା କହିଛନ୍ତି ଯେ କଂଗ୍ରେସ ଆଜି ମଧ୍ୟ ଗାନ୍ଧୀ ପରିବାରରୁ ବାହାରକୁ ବାହାରିନାହିଁ। ଗାନ୍ଧୀ ପରିବାରକୁ ଖୁସି କରିବା ପାଇଁ ସବୁ ନିଷ୍ପତ୍ତି ନିଆଯାଉଛି। ଏଥିପାଇଁ ଉଜ୍ଜ୍ମଲା ଯୋଜନାର ନାମ ଇନ୍ଦିରା ଗାନ୍ଧୀଙ୍କ ନାମରେ ରଖାଯାଉଛି। ସେ କହିଛନ୍ତି କଂଗ୍ରେସ୍ ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ ଏବଂ ଜବାହାରଲାଲ ନେହେରୁଙ୍କ ଠାରୁ ବାହାରକୁ ବାହାରି ପାରିବ ନାହିଁ। କଂଗ୍ରେସ ବଂଶବାଦର ପୂଜା କରୁଛି। ସେହିପରି ରାଜ୍ୟ ବିରୋଧୀ ଦଳ ଉପନେତା ସତୀଶ ପୁନିଆ କହିଛନ୍ତି କଂଗ୍ରେସ ରାଜନୀତିକ ଲାଭ ନେବାକୁ ଚାହୁଛି। ଏଥିପାଇଁ ଆୟୁଷ୍ମାନ ଯୋଜନାର ନାମ ମଧ୍ୟ ବଦଳାଇ ଚିରଞ୍ଜୀବୀ ଯୋଜନା କରାଯାଇଛି। ଏଭଳି ଶସ୍ତା ପ୍ରଚାର ପାଇଁ ଉଜ୍ଜ୍ୱଳା ଯୋଜନାର ନାମ ବଦଳାଉଛି କଂଗ୍ରେସ, କିନ୍ତୁ ଏହାଦ୍ବାରା ଭୋଟରଙ୍କୁ ହାତେଇ ପାରିବନାହିଁ।
ଖାଦ୍ୟଯୋଗାଣ ମନ୍ତ୍ରୀ ପ୍ରତାପ ସିଂହ ଖାଚରିୟାବାସ କହିଛନ୍ତି ‘‘ଇନ୍ଦିରା ଗାନ୍ଧୀ ସିଲିଣ୍ଡର ସବସିଡି ଯୋଜନା ଗରିବଙ୍କ ଲାଭ ପାଇଁ। ଉଜ୍ଜ୍ୱଳା ଯୋଜନାରେ ସବସସିଡି ଦେଉନାହାଁନ୍ତି। ଯେତେବେଳେ କଂଗ୍ରେସ ସରକାର ଥିଲା ସେତେବେଳେ ଗ୍ୟାସ୍ ସିଲିଣ୍ଡର ୪୦୦ ଟଙ୍କାରେ ଥିଲା। ଆଜି ୧୧୫୦ ଟଙ୍କା ହୋଇଛି। କେନ୍ଦ୍ର ୫୦୦ ଟଙ୍କାରେ ସିଲିଣ୍ଡର ଦେଉନାହିଁ। ଆମେ ୫୦୦ ଟଙ୍କାରେ ସିଲିଣ୍ଡର ଦେବୁ। ଜନତାଙ୍କୁ ଲାଭ ହେଉଛି ହେବାକୁ ଦିଅନ୍ତୁ।’’
ସୂଚନାଥାଉ, ବିଜେପି-କଂଗ୍ରେସ ପୂର୍ବରୁ ମଧ୍ୟ ସରକାରୀ ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି। ଏହା ପୂର୍ବରୁ ଅନ୍ନପୂର୍ଣ୍ଣା ଯୋଜନାକୁ ଇନ୍ଦିରା ରୋଷେଇ ଯୋଜନା ଏବଂ ଆୟୁଷ୍ମାନ ଭାରତକୁ ଚିରଞ୍ଜୀବୀ ଯୋଜନା କରିଥିଲେ ଗେହଲଟ ସରକାର। ସେହିପରି ବିଜେପି ସରକାର ସମୟରେ ରାଜ୍ୟରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରର ନାମ ବଦଳାଇ ଅଟଳ ସେବା କେନ୍ଦ୍ର କରିଥିଲା। ଆଉ ଯେତେବେଳେ କଂଗ୍ରେସ ସତ୍ତାକୁ ଆସିଥିଲା ଏହାର ନାମକୁ ପରିବର୍ତ୍ତନ କରି ରାଜୀବ ଗାନ୍ଧୀ ଅଟଳ ସେବା କେନ୍ଦ୍ର କରିଦିଆଯାଇଥିଲା। ବସୁନ୍ଧରା ସରକାର ରାଜୀବ ଶିକ୍ଷା ସ୍କୁଲର ନାମ ବଦଳାଇ ଡା.ରାଧକ୍ରିଷ୍ଣନ ଶିକ୍ଷା ସ୍କୁଲ କରିଦେଇଥିଲା।