ଭୀଷଣ ସଡ଼କ ଦୁର୍ଘଟଣା; ଟ୍ରକ୍କୁ ପିଟିଲା ସ୍କୁଲ୍ ବସ୍, ପ୍ରିନ୍ସିପାଲ୍ ସହ ଜଣେ ଛାତ୍ରୀ ମୃତ
24/09/2023 at 12:29 PM

ଜୟପୁର: ରାଜସ୍ଥାନ ବାଡମେର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର୍ଶ୍ବରେ ଛଡ଼ା ହୋଇଥିବା ଏକ ଡମ୍ପରକୁ ଧକ୍କା ଦେଲା ସ୍କୁଲ ବସ୍ । ଏହି ଦୁର୍ଘଟଣାରେ ଜେସସ୍ ସରକାରୀ ସ୍କୁଲର ପ୍ରିନ୍ସିପାଲ୍ ସମେତ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଏଥିରେ ୨୭ଜଣ ଆହତ ହୋଇଛନ୍ତି । ରେସକ୍ୟୁ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ସେପଟେ ମୃତକ ପ୍ରିନ୍ସିପାଲ ହେଲେ ମହମ୍ମଦ ଇବ୍ରାହିମ୍ ଏବଂ ଛାତ୍ରୀ ହେଲେ ସବିନା ।
ଶନିବାର ରାତିରେ ବାଡମେର ଜିଲ୍ଲା ରାମସର ପୋଲିସ ଥାନା ଅନ୍ତର୍ଗତ ଭାରତମାଲା ରାଜପଥରେ ଏହି ଭୀଷଣ ଦୁର୍ଘଟଣା ହୋଇଛି । ଦ୍ରୁତ ଗତିରେ ଆସୁଥିବା ସ୍କୁଲ ବସ, ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ଡ୍ରମ୍ପରକୁ ଜୋରଦାର ଧକ୍କା ଦେଇଥିଲା । ପରେ ସ୍କୁଲ ପିଲା ଚିତ୍କାର କରିଥିଲେ । ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳରେ ପହଞ୍ଚି ପୋଲିସ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ଅନୁଧ୍ୟାନ କରିବା ସହିତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । ମୋଟ୍ ୨୭ଜଣ ଆହତଙ୍କ ମଧ୍ୟରୁ ୨୦ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ସେପଟେ ଖବର ମିଳିବା ପରେ ଜିଲ୍ଲାପାଳ ଅଂଜୁମ୍ ତାହିର ସମାଂ ,ଏସପି ଦିଗନ୍ତ ଆନନ୍ଦ ଓ ଅନ୍ୟ ପ୍ରଶାସନ ଅଧିକାରୀ ହସ୍ପିଟାଲରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିଛନ୍ତି । ଗୁରୁତରଙ୍କୁ ଉତ୍ତମ ଚିକିତ୍ସା କରାଯାଉଛି ।