ରାଜସ୍ଥାନ କଂଗ୍ରେସର ଇସ୍ତାହାର ପ୍ରକାଶ; ୧୦ ଲକ୍ଷ ରୋଜଗାର, ୪ ଲକ୍ଷ ସରକାରୀ ଚାକିରି ଗ୍ୟାରେଣ୍ଟି
21/11/2023 at 1:34 PM

ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ୍ ଇସ୍ତହାର ପତ୍ର ପ୍ରକାଶ । କଂଗ୍ରେସ ଏହାକୁ ଗ୍ୟାରେଣ୍ଟି ପତ୍ର ଭାବେ ଘୋଷଣା କରିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଉପସ୍ଥିତିରେ ଏହାକୁ ପ୍ରକାଶ କରାଯାଇଛି । ରାଜ୍ୟ କଂଗ୍ରେସ ନିଜ ଇସ୍ତାହାରରେ ୧୦ ଲକ୍ଷ ରୋଜଗାର, ୪ ଲକ୍ଷ ସରକାରୀ ଚାକିରି ଦେବାକୁ ଗ୍ୟାରେଣ୍ଟି ଦେଇଛି । ଏହାଛଡ଼ା ଚାଷୀଙ୍କ ପାଇଁ କର୍ପୋରେଟ୍ ବ୍ୟାଙ୍କରୁ ୨ ଲକ୍ଷ ପର୍ଯ୍ୟନ୍ତ ସୁଧ ମୁକ୍ତ ଋଣ ଦେବାକୁ ପ୍ରତିଶ୍ରୁତି ଦେଇଛି । ସେହିପରି ଏମଏସପି ଆଇନ୍ ଆଣିବାକୁ ଘୋଷଣା ପତ୍ରରେ ମଧ୍ୟ ଉଲ୍ଲେଖ କରିଛି ।
ସେହିପରି ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନା ଭଳି ରାଜସ୍ଥାନରେ ଜାତିଗତ ଜନଗଣନା କରିବାକୁ ପ୍ରତିଶ୍ରୁତି ଦେଇଛି । ସେହପରି ଗାଁ ଲୋକଙ୍କୁ ଆତ୍ମନିର୍ଭର ହେବାକୁ ବିନା ଗ୍ୟାରେଣ୍ଟିରେ ୫ଲକ୍ଷ ଲେଖାଏଁ ଋଣ ଦେବାକୁ ଇସ୍ତହାର ପତ୍ରରେ କହିଛି ।
ରାଜସ୍ଥାନ କଂଗ୍ରେସ ନିଜ ଇସ୍ତାହାର ଉଲ୍ଲେଖ କରିଥିବା ପ୍ରମୁଖ ପ୍ରତିଶ୍ରୁତି:
କଂଗ୍ରେସ ସରକାର ଗଠନ କଲେ କିଲୋଗ୍ରାମ ପ୍ରତି ୨ଟଙ୍କାରେ ଗୋବର କିଣିବ ।
ଚିରଞ୍ଜୀବୀ ହେଲ୍ଥ ଇନସ୍ୟୁରାନ୍ସ ରାଶିକୁ ୨୫ଲକ୍ଷରୁ ୫୦ ଲକ୍ଷକୁ ବୃଦ୍ଧି କରାଯାଇଛି ।
ପରିବାରର ମହିଳା ମୁଖିଆଙ୍କୁ ପ୍ରତିବର୍ଷ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ
ଛାତ୍ର-ଛାତ୍ରୀମାନଙ୍କୁ ମାଗଣାରେ ଲାପଟପ୍ ଓ ଟାବଲେଟ୍ ବଣ୍ଟନ କରାଯିବ
୧.୦୪ କୋଟି ପରିବାରକୁ ୫ଶହ ଟଙ୍କାରେ ଏଲପିଜି ସିଲିଣ୍ଡର ମିଳିବ
ସମସ୍ତ ଶିଶୁଙ୍କୁ ଇଂରାଜୀ ମିଡିୟମ୍ ବିଦ୍ୟାଳୟରେ ଶିକ୍ଷା ଗ୍ୟାରେଣ୍ଟି
ବନ୍ଦ ରହିଥିବା ପୁରୁଣା ପେନସନ ଯୋଜନା ପୁଣି ଥରେ ଚାଲୁ କରାଯିବ
ଚାଷୀଙ୍କ ପାଇଁ ଏମଏସପି ଆଇନ ଆଣିବ କଂଗ୍ରେସ ସରକାର
କୃଷି ବଜେଟ୍ ଅନ୍ତର୍ଗତ ଆରମ୍ଭ ହୋଇଥିବା ୧୨ଟି ଯୋଜନାକୁ ବିସ୍ତାର କରି ଦ୍ବିଗୁଣିତ କରାଯିବ
ପଞ୍ଚାୟତ ସ୍ତରରେ ଭର୍ତ୍ତି ପାଇଁ ନୂଆ ଯୋଜନା ମାନ କଂଗ୍ରେସ ସରକାର ଆଣିବ
ମହିଳାଙ୍କ ସୁରକ୍ଷା ପାଇଁ ପ୍ରତି ଗାଁରେ ମହିଳା ସୁରକ୍ଷା ପ୍ରହରି ନିଯୁକ୍ତ କରାଯିବ
ରୋଡଓ୍ବେଜ୍ ବସ୍ରେ ମହିଳାଙ୍କ ଯାତାୟତ ପାଇଁ ପ୍ରତି ମାସରେ କୁପନ ମିଳିବ
ସହରୀ ବିକାଶ ଏବଂ ସମୃଦ୍ଧିକୁ ବୃଦ୍ଧି କରିବାକୁ ଦୁଇଟି ନିକଟତମ ସହରରେ ବିଶେଷ ବିକାଶ ପ୍ରାଧିକରଣ ଗଠନ କରାଯିବ ।
ଯେଉଁ ଗାଁରେ ୧୦୦ରୁ ବ୍ୟକ୍ତିରୁ ଅଧିକ ଜନସଂଖ୍ୟା ରହୁଛନ୍ତି, ସେହି ଗାଁକୁ ସଡ଼କ ମାର୍ଗରେ ଯୋଡ଼ାଯିବ
ସୁଶାସନ ପାଇଁ ଉତ୍ତରଦେହୀ ତଥା ସ୍ବ-ସେବା ଆଇନ ପ୍ରଣୟନ କରାଯିବ ବୋଲି ରାଜସ୍ଥାନ କଂଗ୍ରେସ ନିଜ ଇସ୍ତହାରରେ ଉଲ୍ଲେଖ କରିଛି ।