ରାଜସ୍ଥାନ ନଗର ନିଗମ ନିର୍ବାଚନ : ୩୬ଟି ଅଧ୍ୟକ୍ଷ ପଦ ଉପରେ କଂଗ୍ରେସର କବଜା, ବିଜେପି ଖାତାରେ ମାତ୍ର ୧୨

Published By : Prameya-News7 Bureau | December 21, 2020 IST

ଜୟପୁର,୨୧/୧୨:   ରବିବାର ରାଜସ୍ଥାନର ବିଭିନ୍ନ ନଗର ନିଗମ ଅଧ୍ୟକ୍ଷ ପଦ ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି ।ଏଥିରେ କଂଗ୍ରେସ ଏକତରଫା ବିଜୟଲାଭ କରିଛି । ବିଜେପିକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଛି । ଖବର ଲେଖାଯିବା ସୁଦ୍ଧା ୫୪ଟି ଆସନ ମଧ୍ୟରୁ ୧୨ ଜିଲ୍ଲାର ୫୦ଟି ଆସନର ଫଳାଫଳ ଘୋଷଣା କରାଯାଇଛି । ଏହା ମଧ୍ୟରୁ ୩୬ଟିରେ କଂଗ୍ରେସ ଜିତିଥିବା ବେଳେ ବିଜେପି ମାତ୍ର ୧୨ଟି ଆସନରେ ବିଜୟଲାଭ କରିଛି । ଏହାମଧ୍ୟରୁ ୨ଟି ସ୍ୱାଧିନ ପ୍ରାର୍ଥୀଙ୍କ ହାତକୁ ଯାଇଛି ।

୫୦ଟି ନଗର ନିଗମ ମଧ୍ୟରୁ ୭ଟି ନଗର ପରିଷଦ ଓ ୪୩ଟି ନଗରପାଳିକା ଆସନ ରହିଛି । ନଗର ପରିଷଦର ୭ଟି ସିଟରୁ ୫ଟି ଆଶନରେ କଂଗ୍ରେସ ଜିତିଥିବା ବେଳେ ବିଜେପି ମାତ୍ର ଗୋଟିଏରେ ବିଜୟ ଲାଭ କରିଛି । ଅନ୍ୟପକ୍ଷରେ ବାକିଥିବା ଗୋଟିଏ ଆସନ ସ୍ୱାଧିନ ପ୍ରାର୍ଥୀଙ୍କ ହାତକୁ ଯାଇଛି । ଏହି ନିର୍ବାଚନକୁ ରାଜସ୍ଥାନରେ ବିଧାନସଭା ପୂର୍ବ ପରୀକ୍ଷା ରୂପେ ଦେଖାଯାଏ । ଯେଉଁଥିରେ କଂଗ୍ରେସ ଏକତରଫା ବିଜୟଲାଭ କରିଛି ।

ତେବେ ନିର୍ବାଚନ ଫଳାପଳକୁ ନେଇ ବିଜେପି ମଧ୍ୟ କମ୍ ଖୁସି ନାହିଁ । ଦଳର କହିବା କଥା ହେଲା, ଆଜି ଯଦି ବିଧାନସଭା ନିର୍ବାଚନ ହୁଏ ଦଳ ତିନି ଚତୁର୍ଥାଂଶ ବହୁମତ ସହ ସରକାର ଗଠନ କରିବ । ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନରେ ବିଜେପି ଆକର୍ଷଣୀୟ ବିଜୟଲାଭ କରିଛି । ଯାହାର ଚର୍ଚ୍ଚା ଦିଲ୍ଲୀ ଯାଏଁ ହୋଇଛି । ରାଷ୍ଟ୍ରୀୟ ନେତୃତ୍ୱ ମଧ୍ୟ ଏହାର ପ୍ରଶଂସା କରୁଛନ୍ତି ।

ସେ ଆହୁରି କହିଛନ୍ତି ଯେ, କଂଗ୍ରେସ ହେଉଛି ପରିବାରବାଦର ଦଳ । ବର୍ତ୍ତମାନ ସୋନିଆ ଗାନ୍ଧୀ ଅଧ୍ୟକ୍ଷ ଅଛନ୍ତି । ଏହାପୂର୍ବରୁ ରାହୁଲ ଗାନ୍ଧୀ ସଭାପତି ଥିଲେ । ସୋନିଆଙ୍କ ପରେ ପୁଣି ରାହୁଲ ଗାନ୍ଧୀ ସଭାପତି ହେବେ । କିନ୍ତୁ ବିଜେପି ରାଷ୍ଟ୍ରବାଦ ବିଚାରଧାରାକୁ ନେଇ କାମ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.