ଜୟପୁର ୨୧।୧୧: ଅଶୋକ ଗେହଲଟ ସରକାରର ରବିବାର ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇଛି। ୧୫ ଜଣ ମନ୍ତ୍ରି ପଦର ଶପଥ ନେଇଛନ୍ତି। ହେଲେ ୧୩ ସ୍ଵାଧୀନ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ କ୍ୟାବିନେଟ୍ରେ ସାମିଲ୍ କରାଯାଇନି। ଗତ ବର୍ଷ ରାଜନୈତିକ ସଙ୍କଟ ସମୟରେ ହିଁ ଏହି ନିର୍ଦ୍ଦଳୀୟ ବିଧାୟକମାନେ ଗେହଲଟ ସରକାରଙ୍କ ପାଇଁ ସଙ୍କଟମୋଚକ ସାଜିଥିଲେ। ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ସେ ନିର୍ଦ୍ଦଳୀୟ ବିଧାୟକଙ୍କ ସହଯୋଗ କେବେ ବି ଭୁଲି ପାରିବେ ନାହିଁ। ମାତ୍ର ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ନିର୍ଦ୍ଦଳୀ ବିଧାୟକଙ୍କୁ ସ୍ଥାନ ନମିଳିବାରୁ ସେମାନଙ୍କ ଗହଣରେ ନିରାଶର ମାହୋଲ ଛାଇ ରହିଛି। ଆଉ କିଛି ବିଧାୟକ ଖୋଲାଖୋଲି ନିଜର ଅସନ୍ତୋଷ ପ୍ରକଟ୍ କଲେଣି। ବିଧାୟକଙ୍କ ମନରେ ଅସନ୍ତୋଷ କୁହୁଳିବାରେ ଲାଗିଛି।
ମନ୍ତ୍ରିମଣ୍ଡଳ ବିସ୍ତାରରେ କିଛି ସ୍ଵାଧୀନ ବିଧାୟକଙ୍କୁ ଜାଗା ମିଳିବ ବୋଲି ଆଶା କରାଯାଉଥିଲା। ଶନିବାର ରାତି ପର୍ଯ୍ୟନ୍ତ ବିଧାୟକମାନେ ଆଶା ବାନ୍ଧି ବସିଥିଲେ। ମାତ୍ର ବିଳମ୍ବିତ ରାତ୍ରିରେ ଜାରି ହୋଇଥିବା ସୂଚୀରେ ଜଣେ ହେଲେ ନିର୍ଦ୍ଦଳୀୟ ବିଧାୟକଙ୍କ ନାମ ନଥିଲା। ଏଥିରେ ନିର୍ଦ୍ଦଳୀୟ ବିଧାୟକଙ୍କ ଗହଣରେ ନିରାଶର ମାହୋଲ ଛାଇ ଯାଇଛି। କଂଗ୍ରେସ ଅତିରିକ୍ତ ବାହାରୁ କେବଳ ବିଏସପିରୁ ଆସିଥିବା ବିଧାୟକ ରାଜେନ୍ଦ୍ର ଗୁଢାଙ୍କୁ ମନ୍ତ୍ରୀ କରାଯାଇଛି। ଆଜି ମନ୍ତ୍ରୀ ଭାବେ ଶପଥ ନେଇଥିବା ୧୫ ଜଣଙ୍କ ମଧ୍ୟରୁ ୧୨ ଜଣ ନୂତନ ଚେହେରା ହୋଇଥିବା ବେଳେ ସେଥିରେ ତିନି ଜଣ ମହିଳା ସାମିଲ୍।