ରାଜସ୍ଥାନ ରାଜନୀତି: କାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବିଜେପି, ବଢିଲା ଗେହଲଟ ସରକାରଙ୍କ ମୁସ୍କିଲ

Published By : Prameya-News7 Bureau | August 13, 2020 IST

ଜୟପୁର ୧୩।୦୮: ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଶୁକ୍ରବାର ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଛି। ତେଣୁ ଅଶୋକ ଗେହଲଟ ସରକାର ସାମ୍ନାରେ ଆସ୍ଥା ଭୋଟ୍ ସାବ୍ୟସ୍ତ କରିବାର ଚ୍ୟାଲେଞ୍ଜ ରହିଛି। ଗୁରୁବାର ଭାରତୀୟ ଜନତା ପାର୍ଟିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଗୃହରେ ଅନାସ୍ଥା ପ୍ରସ୍ତାବ ଆଣିବା ନେଇ ନିଷ୍ପତ୍ତି ହୋଇଛି।

ବିଜେପିର ବିଧାୟକ ଦଳ ନେତା ଗୁଲାବଚନ୍ଦ କଟାରିଆ କହିଛନ୍ତି କଂଗ୍ରେସ ନିଜ ଘରେ କଣ୍ଟା ମାରି କପଡା ଯୋଡିବାକୁ ଚାହୁଁଛି, ହେଲେ କଣ ହେବ କପଡା ତ ଫାଟି ସାରିଛି। ଏହି ସରକାର ଶୀଘ୍ର ଭାଙ୍ଗିବାକୁ ଯାଉଛି। ବିଜେପି ପ୍ରଦେଶ ସଭାପତି ସତୀଶ ପୁନିଆ କହିଛନ୍ତି ଏହି ସରକାର ନିଜର ବିରୋଧାଭାସରେ ହିଁ ପତନ ହେବ। ବିଜେପି ଉପରେ ଅଯଥାରେ ମିଥ୍ୟା ଆରୋପ ଲଗାଉଛନ୍ତି। କଂଗ୍ରେସ ଘରର ଝଗଡାରେ ବିଜେପିର କୌଣସି ସଂପର୍କ ନାହିଁ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଭାରତୀୟ ଜନତା ପାର୍ଟିର ଜୟପୁରରେ ବିଧାୟକ ଦଳ ବୈଠକ ଆୟୋଜିତ ହୋଇଛି। ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମଧ୍ୟ ଉପସ୍ଥିତ ଥିଲେ। କେନ୍ଦ୍ରୀୟ ନେତୃତ୍ଵଙ୍କ ପକ୍ଷରୁ ପ୍ରତିନିଧି ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ରାଜ୍ୟପାଳଙ୍କ ଆଦେଶକ୍ରମେ ଅଗଷ୍ଟ ୧୪ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ସରକାରଙ୍କ ତରଫରୁ ଗୃହରେ କେବଳ କରୋନା ଭାଇରସ ସଙ୍କଟ, ଲକ୍‌ଡାଉନ୍‌ ଓ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି କୁହାଯାଇଥିଲା। ଏହା ମଧ୍ୟରେ ବିଜେପି ଯଦି ଆସନ୍ତାକାଲି ଗୃହରେ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରେ ତେବେ ଅଶୋକ ଗେହଲଟ ସରକାରଙ୍କୁ ନିଜର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.