ଆସନ୍ତାକାଲି ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ

Published By : Prameya-News7 Bureau | December 06, 2018 IST

ନୂଆଦିଲ୍ଲୀ ୬|୧୨: ଆସନ୍ତାକାଲି ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ରାଜସ୍ଥାନର ୨୦୦ ବିଧାନସଭା ଓ ତେଲେଙ୍ଗାନାର ୧୧୯ଟି ବିଧାନସଭା ଆସନ ପାଇଁ ହେବ ମତଦାନ । ଏଥିପାଇଁ ଗତକାଲି ସଂଧ୍ୟାରେ ପ୍ରଚାର ଶେଷ ହୋଇଛି । ଭୋଟରଙ୍କୁ ଆକର୍ଷିତ କରିବାକୁ ଉଭୟ ଦଳର ହେଭି ୱେଟ୍ ମାନେ ଘମାସାନ ପ୍ରଚାର କରିଥିଲେ । ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ କଡ଼ା ଟକ୍କର ହେବାର ସମ୍ଭାବନା ଥିବା ବେଳେ, ତେଲେଙ୍ଗାନାରେ ଟିଆରଏସକୁ କ୍ଷମତାରୁ ବିତାଡ଼ିତ କରିବା ପାଇଁ ବିଜେପି ଓ କଂଗ୍ରେସ-ଟିଡିପି ମେଣ୍ଟ କସରତ କରିଛନ୍ତି । ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ସୁମେରପୁର ଓ ଦୌସାରେ ନିର୍ବାଚନ ରାଲି କରିଥିବା ବେଳେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜମେରରେ ରୋଡ ସୋ କରିଥିଲେ । ସେପେଟ ତେଲେଙ୍ଗାନାର କୋଡାଡରେ ନିର୍ବାଚନ ରାଲିରେ ଜନତାଙ୍କୁ ସମ୍ବୋଧନ କରିଥିଲେ ରାହୁଲ ଗାନ୍ଧି । ଆସନ୍ତା ୧୧ରେ ଭୋଟ୍ ଗଣତି ହେବ । ନିର୍ବାଚନର ଫଳାଫଳରୁ ୨୦୧୯ ସାଧାରଣ ନିର୍ବାଚନର ଚିତ୍ର ଓ ଚରିତ୍ର ଜଣାପଡିବ ବୋଲି କହିଛନ୍ତି ରାଜନୈତିକ ବିଶ୍ଲେଷକ । ତେଲେଙ୍ଗାନାରେ ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପଟେ ତେଲେଙ୍ଗାନା ନିର୍ବାଚନ ପାଇଁ  କୋଟି କୋଟି ଟଙ୍କା  ଉଡୁଛି । ନିର୍ବାଚନ ପୂର୍ବରୁ ୮୬ କୋଟିରୁ ଅଧିକ ଟଙ୍କା, ୪ ଲକ୍ଷ ଲିଟର ମଦ ଜବତ କରିଛି ପୋଲିସ । ୩ ମାସ ଭିତରେ ୧୧ହଜାର ଅପରାଧୀଙ୍କୁ ଜେଲରେ ପୁରାଯାଇଛି । ତେଲେଙ୍ଗାନାରେ ୩୦ ହଜାରରୁ  ଅଧିକ ବୁଥରେ ମତଦାନ ହେବ । ଏଥିମଧ୍ୟରୁ ୪ହଜାର ବୁଥ ସମ୍ବେଦନଶୀଳ ହୋଇଥିବାରୁ ଏଠାରେ ଅଧିକ ଫୋର୍ସ ମୁତୟନ ହେବ । ଏହା ସହ ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ବୋଲି ତେଲେଙ୍ଗାନା ଏଡିଜି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.