ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍‌ଙ୍କ ବଡ ବୟାନ: 'ରାହୁଲ ଗାନ୍ଧି ହୁଅନ୍ତୁ କଂଗ୍ରେସ ଅଧ୍ୟକ୍ଷ, ନିର୍ବାଚନରେ ହାର୍‌-ଜିତ୍‌ ଲାଗି ରହିଥାଏ'

Published By : Prameya-News7 Bureau | March 13, 2022 IST

ଜୟପୁର ୧୩/୦୩: ଦେଶର ୫ ରାଜ୍ୟରେ ନିକଟରେ ଶେଷ ହୋଇଛି ବିଧାନସଭା ନିର୍ବାଚନ । ୪ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଗଢିବାକୁ ଯାଉଥିବା ବେଳେ ଗୋଟିଏ ରାଜ୍ୟ ଦଖଲ କରିବାକୁ ଯାଉଛି ଆପ୍‌ । ଅନ୍ୟପଟେ ୫ଟି ଯାକ ରାଜ୍ୟରେ ଲଜ୍ଜାଜନକ ପରାଜୟ ବରଣ କରିଛି କଂଗ୍ରେସ । ଏପରିକି ସରକାରରେ ଥିବା ପଞ୍ଜାବରେ ମଧ୍ୟ କଂଗ୍ରେସକୁ ଜନସାଧାରଣ ପ୍ରତ୍ୟାକ୍ଷାନ କରିଛନ୍ତି । ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁରରେ ବିଜେପି ବହୁମତ ସହ ସରକାର ଗଠନ କରିବାକୁ ଯାଉଥିବା ବେଳେ ଆମ୍‌ ଆଦମୀ ପାର୍ଟି ଦଖଲକୁ ଯାଇଛି ପଞ୍ଜାବ ।

ଏହାରି ମଧ୍ୟରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହେଲଟ୍ ବିଜେପିକୁ ଟାର୍ଗେଟ୍‌ କରିଛନ୍ତି । କହିଛନ୍ତି, 'ନିର୍ବାଚନରେ ବିଜୟ ପରାଜୟ ଲାଗି ରହିଥାଏ । ସମୟ ଥିଲା ଦେଶରେ ୫୪୨ଟି ଆସନରୁ ବିଜେପି ମାତ୍ର ୨ଟି ସିଟ୍‌ ପାଇବାକୁ ସକ୍ଷମ ହୋଇଥିଲା । ଏବେ ଲୋକମାନେ ବିଚଳିତ ହୋଇଯାଉଛନ୍ତି କାରଣ ବିଜେପି ଜନସାଧାରଣଙ୍କୁ ଧର୍ମର ଦ୍ବାହି ଦେଇ ଭୋଟ ହାତେଇବାକୁ ଉଦ୍ୟମ କରୁଛି । ଆଜି ନହେଲେ ବି କାଲି ଜନସାଧାରଣଙ୍କୁ ନିଶ୍ଚିତ ବୁଝା ପଡିବ ।'

ରାହୁଲ ଗାନ୍ଧି ଅଧ୍ୟକ୍ଷ ହେବା ଉଚିତ

ସିଏମ୍‌ ଅଶୋକ ଗେହେଲଟ କହିଛନ୍ତି, 'ଆମ ରାସ୍ତା ଏକତା ଏବଂ ଅଖଣ୍ଡତା ବଜାୟ ରଖିବା କିନ୍ତୁ ସେମାନଙ୍କ (ବିଜେପି)ର ରାସ୍ତା ଦେଶକୁ ଧର୍ମ ଆଧାରରେ ବାଣ୍ଟିବା । ନିଆଁ ଲଗାଇବା ଖୁବ ସହଜ କିନ୍ତୁ ଲିଭା କାଠିକର ପାଠ । ତେଣୁ କଂଗ୍ରେସକୁ ପୁଣି ଏକଜୁଟ୍‌ ହେବାକୁ ହେଲେ ରାହୁଲ ଗାନ୍ଧିଙ୍କୁ ଅଧ୍ୟକ୍ଷ ହେବା ନିହାତି ଆବଶ୍ୟକ।'

ନିକଟରେ ଗେହେଲଟ କହିଥିଲେ, ବିଜେପି ହିନ୍ଦୁତ୍ବ ଏବଂ ଧ୍ରୁବୀକରଣ ଆଧାରରେ ନିର୍ବାଚନ ଜିତିଛି । ପୁରା ଦେଶରେ ସ୍ଥିତି ଏବେ ଗମ୍ଭୀର ରହିଛି । ଆଉ ୟୁପିରେ କରୋନା କଟକଣା କିଭଳି ପାଳନ ହେଲା ତାହା ସମସ୍ତଙ୍କୁ ଜଣାଅଛି ବୋଲି କହିଛନ୍ତି ଗେହେଲଟ୍ । ସେ ଆହୁରି ମଧ୍ୟ କହିଛନ୍ତି, ୫ ରାଜ୍ୟର ନିର୍ବାଚନ ଫଳାଫଳକୁ କଂଗ୍ରେସ ସ୍ବୀକାର କରୁଛି । ଟ୍ବିଟ୍‌ କରି ସେ କହିଥିଲେ, '୫ରାଜ୍ୟରେ କଂଗ୍ରେସ ଭଲ କରିବ ବୋଲି ଆମେ ଆଶା କରୁଥିଲୁ । ଦଳର ନେତୃତ୍ବ ଏବଂ କର୍ମୀମାନେ ନିର୍ବାଚନରେ କଠିନ ପରିଶ୍ରମ କରିଥିଲେ । ଆମେ ଫଳାଫଳକୁ ବିନମ୍ରତାର ସହ ସ୍ବୀକାର କରୁଛୁ ଏବଂ ବିଜୟୀ ହୋଇଥିବା ପ୍ରାର୍ଥୀଙ୍କୁ ଶୁଭକାମନା ଜଣାଉଛୁ ।'

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.