ରାଜସ୍ଥାନ ବିଜେପିର ୟୁ-ଟର୍ଣ୍ଣ, ଦୁଇ ଘଣ୍ଟା ବଦଳାଇଲା ନିଷ୍ପତ୍ତି, ଜାରି ରହିବ ଜନ ଆକ୍ରୋଶ ଯାତ୍ରା
22/12/2022 at 7:33 PM

ଜୟପୁର: ରାଜସ୍ଥାନ ବିଜେପି ଗୁରୁବାର ନିଷ୍ପତ୍ତି ବଦଳାଇ ନିଜ ଯାତ୍ରା ଜାରି ରଖିବ ବୋଲି ଘୋଷଣା କରିଛି । କରୋନାର ବଢୁଥିବା ମାମଲା ବୃଦ୍ଧିକୁ ନଜରରେ ରଖି ଅପରାହ୍ଣ ତିନିଟାରେ ବିଜେପି ରାଜସ୍ଥାନରେ ଜାରି ଜନ ଆକ୍ରୋଶ ଯାତ୍ରାକୁ ସ୍ଥଗିତ କରିବା ନେଇ ଘୋଷଣା କରିଥିଲା । କିନ୍ତୁ ସଂଧ୍ୟା ହେବା ସହ ନିଷ୍ପତ୍ତିକୁ ଫେରାଇ ନେଇଥିଲା । ରାଜସ୍ଥାନ ବିଜେପି ଟ୍ୱିଟ କରି ଲେଖିଛି, ଯେପର୍ଯ୍ୟନ୍ତ କେନ୍ଦ୍ର ଏବଂ ରାଜ୍ୟ ଦ୍ୱାରା କୌଣସି ମାର୍ଗଦର୍ଶିକା ଜାରି ନକରାଯାଇଛି ସେପର୍ଯ୍ୟନ୍ତ ଜନ ଆକ୍ରୋଶ ସଭା ଗୁଡିକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆୟୋଜିତ ହେବ । କିନ୍ତୁ କରୋନା ପାଇଁ ସାବଧାନତା ଅବଲମ୍ୱନ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ବିଜେପି ରାଜସ୍ଥାନରେ ନିଜର ଜନ ଆକ୍ରୋଶ ଯାତ୍ରାକୁ କରୋନା ସଂକ୍ରମଣ ଦୃଷ୍ଟିରୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିବା ପାଇଁ ଘୋଷଣା କରିଥିଲା । ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ଟ୍ୱିଟ୍ କରି ଏହି ଘୋଷଣା କରିଥିଲେ।
ରାଜସ୍ଥାନ ସରକାର ଚାରି ବର୍ଷ ପୂର୍ତ୍ତି ଅବସରରେ ବିଜେପି ସାରା ରାଜ୍ୟରେ ଜନ ଆକ୍ରୋଶ ଯାତ୍ରା ଆରମ୍ଭ କରିଥିଲା । ଡିସେମ୍ୱର ୧ରେ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଜୟପୁରରୁ ଏହା ଶୁଭାରମ୍ଭ କରିଥିଲେ । ଏହି ଯାତ୍ରାରେ ଦଳ ୭୫,୦୦୦ କିମି ଯାତ୍ରା କରିବା ସହ ପ୍ରାୟ ୨ କୋଟି ଲୋକଙ୍କ ସହ ସିଧା କଥା ହେବା ନେଇ ଲକ୍ଷ୍ୟ ରଖିଛି ।