Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରାଜ୍ୟରେ ଶୁକ୍ରବାରଠୁ କମିବ, ୧୮ ପରେ ବଢିବ ବର୍ଷା ପରିମାଣ

15/09/2023 at 8:30 AM

ଭୁବନେଶ୍ୱର ୧୫/୦୯: ଢାଳିଲା ନିର୍ଧୁମ ବର୍ଷା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥିତି ବେହାଲ୍‌ କରିଦେଇଛି । ଲଗାଣ ବର୍ଷା ଯୋଗୁ ଏବେ ସୁଦ୍ଧା କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି । ମାଛ ଧରିବାକୁ ଯାଇ ପାଣିରେ ଭାସିଯିବାରୁ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଉଦ୍ଧାର ଓ ଜଣେ ନିଖୋଜ ଅଛନ୍ତି । ୫ ଜିଲ୍ଲାର ୨୧ଟି ବ୍ଲକ ଅନ୍ତର୍ଗତ ୩୯ଟି ପଞ୍ଚାୟତ ୧୫୫ ଗାଁର ୧୧,୨୬୬ ଲୋକେ ପ୍ରଭାବିତ ହୋଇଛନ୍ତି ।

ବର୍ଷା ମାଡ଼ରେ ୧୫୨ଟି ଘର ନଷ୍ଟ ହୋଇଛି । ପ୍ରବଳ ବର୍ଷା ଯୋଗୁ ବଂଶଧାରା ଫୁଲି ବିପଦ ସଙ୍କେତ ଟପିଛି । ମହାନଦୀ ଉପର ମୁଣ୍ଡରେ ବି ପ୍ରବଳ ବର୍ଷା ଲାଗି ରହିଛି । ହେଲେ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି- ରାଜ୍ୟରେ ବନ୍ୟା ଆସିଲା ଭଳି ସ୍ଥିତି ନାହିଁ । ଉପରମୁଣ୍ଡରେ ବର୍ଷା ବଢ଼ିଥିଲେ ବି ତଳମୁଣ୍ଡ ଶୁଖିଲା ପଡ଼ିଛି । ଯେତିକି ପାଣି ଆସୁଛି, ସେଥିରେ ବି ବନ୍ୟା ସମ୍ଭାବନା କମ୍‌ ।

ଆଉ ଏକ ଆଶ୍ୱସ୍ତି ଭରା ଖବର ହେଲା- ଶୁକ୍ରବାରଠାରୁ ବର୍ଷା ପରିମାଣ କମିବ । ଶନିବାର, ରବିବାର (୧୬ ଓ ୧୭ ତାରିଖ) ବର୍ଷା ବିଶେଷ ନାହିଁ । ତେବେ ୧୮/୧୯ରୁ ରାଜ୍ୟରେ ପୁଣି ବର୍ଷା ବଢ଼ିପାରେ । ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଥିବାରୁ ବର୍ଷା ବଢ଼ିବ ବୋଲି ଅନୁମାନ କରାଯାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ପ୍ରବଳ ବର୍ଷା ହୋଇଛି । ୨୩ଟି ବ୍ଲକରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ।

ବଲାଙ୍ଗିର ବ୍ଲକରେ ୨୪ ଘଣ୍ଟା ଭିତରେ (ସକାଳ ୮ଟା ୩୦ ସୁଦ୍ଧା) ୨୧୫ ମିଲିମିଟର ବର୍ଷା ହୋଇଛି । ଗୁରୁବାର ଦିନ ତମାମ ବି ବର୍ଷା ଛାଡ଼ିନି ବଲାଙ୍ଗିରରେ । ସକାଳୁ ସନ୍ଧ୍ୟା ଭିତରେ ଆହୁରି ୧୦୮ ମିମି ବର୍ଷା ଢାଳିଛି । ବଲାଙ୍ଗିର ସହରରେ ସ୍ଥିତି ସାଂଘାତିକ ହୋଇଥିବାବେଳେ ଦକ୍ଷିଣ ଓଡ଼ିଶାରେ ବି କଲବଲ କରିଛି ଲଗାଣ ବର୍ଷା । ଲଗାଣ ବର୍ଷା ଯୋଗୁ କାନ୍ଥ ପଡ଼ିବାରୁ ୩ଜଣ ପ୍ରାଣ ହରାଇଛନ୍ତି ।

କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁରରେ କାନ୍ଥ ପଡ଼ିବାରୁ ଜଣେ ପ୍ରାଣ ହରାଇଛନ୍ତି । କଳାହାଣ୍ଡି ଜିଲ୍ଲାରେ ଆଉ ଏକ ସ୍ଥାନରେ ବି କାନ୍ଥ ପଡ଼ିବାରୁ ଜଣକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନର ଗରୁଡ଼ିବନ୍ଧରେ କାନ୍ଥ ପଡ଼ିବାରୁ ୫ ବର୍ଷର ଶିଶୁଙ୍କ ଜୀବନ ଯାଇଛି । ନଦୀକୁ ମାଛ ଧରିବାକୁ ଯାଇ ବଲାଙ୍ଗିର ଆଗଲପୁର ବ୍ଲକର ପିପିଲିପାଲି ଗାଁର ୩ଜଣ ଭାସି ଯାଇଥିଲେ । ସେଥିରୁ ଜଣଙ୍କର ମୃତଦେହ ମିଳିଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଆଉ ଜଣେ ସନ୍ଧ୍ୟା ପର୍ଯ୍ୟନ୍ତ ନିଖୋଜ ଥିଲେ ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅର୍ନ୍ତଗତ କାଜିବାହାଲି ରାସ୍ତାରେ ତେନ୍ତୁଳି ଗଛ ପଡ଼ିବାରୁ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ରାମିଆଳରେ ନଦୀର ପ୍ରଖର ସୁଅରେ ଭାସି ଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଛି । ସେହିପରି ତେଲ ନଦୀରେ ଭାସି ଯାଉଥିବା ମନମୁଣ୍ଡା ପଞ୍ଚାୟତ ସରସ୍ୱତୀପୁର ଗାଁର ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି ।

you can also read…

   Related Posts