ଭୁବନେଶ୍ବର ୨୪।୧୨: କାଲିଠୁ ନୂଆବର୍ଷ ଯାଏଁ ରାଜ୍ୟରେ କୋହଲା ପାଗ ଲାଗିରହିବ । ୨୫ରୁ ୨୭ ଯାଏଁ କାଁ ଭାଁ ସ୍ଥାନରେ ହାଲକା ବର୍ଷା ହୋଇପାରେ । କାଲି ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ହାଲକା ବର୍ଷା ହେବ । ୨୬ରେ ଉତ୍ତର ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୁଳ ଆଦି ଜିଲ୍ଲାରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷା ହୋଇପାରେ । ଆସନ୍ତା ୩ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଉତ୍ତର ଓଡ଼ିଶା ସମେତ ଖୋର୍ଦ୍ଧା, ପୁରୀ, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟରେ ଘନ କୁହୁଡ଼ି ଲାଗିରହିବ। ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ଏବେ ରାଜ୍ୟରେ ଥଣ୍ଡା କ୍ରମଶଃ କମୁଛି। ୨୬ ଅପରାହ୍ନରୁ ୨୭ ଯାଏଁ ପାଗ ମେଘୁଆ ରହିବ। ୩୦ ପରେ ପୁଣି ପାଗ ଶୁଖିଲା ରହିବ । ଥଣ୍ଡା କମ୍ ହେବା ସହ ଖରାଟିଆ ପାଗ ରହିବ। ଅନୁମାନ କରାଯାଉଛି ଯେ ଆସନ୍ତା ୨୬ ଓ ୨୭ରେ ଭୁବନେଶ୍ବର ସମେତ କେନ୍ଦ୍ରୀୟ, ଦକ୍ଷିଣ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିବା ସହ ବର୍ଷା ହୋଇପାରେ। ୨୫ ଓ ୨୬ରେ ପଶ୍ଚିମ ଓଡ଼ିଶାରେ ପାଗ ମେଘୁଆ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ରାତିର ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ୨୭ ଓ ୨୮ ତାରିଖରେ ଏହା ପୁଣି ୩ରୁ ୪ ଡିଗ୍ରି କମିବା ହେତୁ ଥଣ୍ଡା ବୃଦ୍ଧି ପାଇବ। ୩୦ ତାରିଖ ପରେ ସର୍ବନିମ୍ନ ତାପମାତ୍ରା ପୁଣି ଥରେ ବଢ଼ିବ। ଜାନୁଆରି ପହିଲା ସୁଦ୍ଧା ୪ ଡିଗ୍ରି ବଢ଼ିପାରେ ।