୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି : ୮ ତାରିଖ ଯାଏଁ ଝଡ଼ବର୍ଷା ସମ୍ଭାବନା

Published By : Prameya-News7 Bureau | March 04, 2020 IST

ଭୁବନେଶ୍ବର ୪/୩: ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ଅର୍ଧାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଅଛି । ସ୍ଥାନେ ସ୍ଥାନେ ଝଡ଼ବର୍ଷା ବି  ହୋଇପାରେ । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୫ ଦିନ ପାଇଁ ଅଧିକାଂଶ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବିଶେଷକରି ଉପକୂଳ ଓଡ଼ିଶାରେ ଅଧିକ ଘଡ଼ଘଡ଼ି, ବଜ୍ରପାତ ଓ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି ।

ଆଜି ପଶ୍ଚିମ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଅପରାହ୍ନଠାରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ ସମେତ ବାଲେଶ୍ବର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ, ସୁନ୍ଦରଗଡ଼, କଳାହାଣ୍ଡି, ଢେଙ୍କାନାଳ ଓ କଟକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୫ ତାରିଖ ମଧ୍ୟାହ୍ନଠାରୁ ୬ ତାରିଖ ସକାଳ ସୁଦ୍ଧା ବର୍ଷା ପରିମାଣ ବଢ଼ିବା ସହ ପବନ ବି ବହିବ । କନ୍ଧମାଳ, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଯାଜପୁର, ଭଦ୍ରକ ଜିଲ୍ଲାରେ କେତେକ ସ୍ଥାନରେ ଝଡ଼ବର୍ଷା ହେବ । ବଜ୍ରପାତ ସହ ସ୍ଥାନେ ସ୍ଥାନେ ୩୦ରୁ ୪୦ କିମି ବେଗରେ ପବନ ବହିବ ।

୮ ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାର ଅଳ୍ପ କିଛି ସ୍ଥାନରେ ଝଡ଼ବର୍ଷା ହୋଇପାରେ । ୯ ତାରିଖଠାରୁ ବର୍ଷା ପରିମାଣ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଆସନ୍ତା ୨ରୁ ୩ ଦିନ ମଧ୍ୟରେ ଦିନର ତାପମାତ୍ରାରେ ସେଭଳି ପରିବର୍ତନ ହେବନି । ତେବେ ଏହାପରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ । ୩ରୁ ୪ ଦିନ ଯାଏ ରାତିର ତାପମାତ୍ରାରେ କୌଣସି ପ୍ରକାର ପରିବର୍ତନ ହେବନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.